ଦିଗନ୍ତର ଯାତ୍ରା ପଥେ
ଦିଗନ୍ତର ଯାତ୍ରା ପଥେ
ରାଜକୁମାର ମୁଁ ନୁହେଁରେ ପ୍ରିୟାଶ୍ରୀ
ନାହିଁ ମୋର ରାଜକୋଷ ।
ଦିଗନ୍ତର ଯାତ୍ରା ପଥେ ଚାଲେ ମୁହିଁ
କରେ ନାହିଁ କାହିଁ ରୋଷ ।।
ସନ୍ନ୍ୟାସୀ ହେଇଛି ସଂସାର ଛାଡିଛି
ମୋହ ମାୟା ମୋର ନାହିଁ ।
କିପରି ଭାବିଲ ତୁମ ଋପ ଦେଖି
ବୈରାଗ୍ୟ ମୁଁ ହେବି ନାହିଁ ।।
ଶ୍ରୀ ଚୈତନ୍ୟ ରୂପ ମହା ବିଷ୍ଣୁଙ୍କର
ମୋର ଅତି ଆପଣାର ।
ସନ୍ଧ୍ୟାରେ ସକାଳେ ଭକ୍ତି ପୂର୍ଣ୍ଣ ପୂଜା
କରେ ମୁହିଁ ଆନନ୍ଦରେ ।।
ସଂସାର ତ୍ୟାଗ ମୁଁ କରିଛି ପ୍ରିୟାରେ
ନାହିଁ ମୋର ଘରଦ୍ୱାର ।
ଦୂର ପାହାଡର କୁଡିଆ କୋରଡ
ସେହି ବାସସ୍ଥଳୀ ମୋର ।।
ଲମ୍ବା ଆୟୁଷର ଆବଶ୍ୟକ ନାହିଁ
ଆମ ସନ୍ନ୍ୟାସୀ ଜୀବନେ ।
ସାଜସଜ୍ଜା ପୁଣି ସୁଗନ୍ଧିତ ବାସ୍ନା
ନାହିଁ ଆଡମ୍ବର ମନେ ।।
ମୁଠାଏ ଚାଉଳ ଢାଳି ଦିଅ ମାଆ
ଯିବି ମୁଁ ଅଜ୍ଞାନ ସ୍ଥଳେ ।
ଦୂର ଦିଗନ୍ତର ଯାତ୍ରା ପଥେ ମୁହିଁ
ଚାଲିବି ଗନ୍ତବ୍ୟସ୍ଥଳେ ।।
ନାରୀ ଲୋଭି ମୁହିଁ ନୁହେଁରେ ସୁନ୍ଦରୀ
ମାତୃତୁଲ୍ୟ ସବୁ ମୋର ।
ଜୀବନ ସାଥୀ ମୋ ଶ୍ରୀକୃଷ୍ଣ ଚୈତନ୍ୟ
ଶ୍ରୀପାଦ ସେବେ ଭକ୍ତିର ।।
ଆସକ୍ତି ନାହିଁ ମୋ ତୁମ ସୌନ୍ଦର୍ଯ୍ୟରେ
ଦୋଷ ଧରିବନି ମୋର ।
ଅଯୋଗ୍ୟ ମୁଁ ଯୋଗୀ ତୁମ ପ୍ରେମ ପାଇଁ
ମୋର ଦୋଷ କ୍ଷମା କର ।।