ଦିବ୍ୟ ଚକ୍ଷୁ
ଦିବ୍ୟ ଚକ୍ଷୁ
ବିଧାତାର ଆଶୀର୍ବାଦେ
ଜନ୍ମୁ ନେତ୍ର ହୀନ l
ଆଲୋକ ନ ଜାଣେ ମୁହିଁ
କରିନି ଦର୍ଶନ ll
ଜାଣେନା ଦିବସ ରାତ୍ର
ଜାଣେନା ମୁଁ ସଞ୍ଜ l
ମାନସ ପଟେ ଦେଖଇ
ଦିବ୍ୟ ଜ୍ୟୋତିପୁଞ୍ଜ ll
ସୂରୁଯଙ୍କୁ ଅନୁଭବେ ଲାଗେ
ଯେବେ ତାତି l
କିନ୍ତୁ ସେ କି କରିପାରେ
ଦିନ ଆଉ ରାତି ?
ମୁଁ କରେ ନିର୍ମାଣ ମୋର
. ଦିବସ ରଜନୀ l
ଜାଗ୍ରତେ ଦିବସ ମୋର
ସୁଷୁପ୍ତି ଯାମିନୀ ll
ମୋ ପାଇଁ ସରବେ ସଦା
ଦୟା ବହିଥାଅ l
ନାହିଁ ମୋର ନେତ୍ର ଏକା
ଆଶ୍ରା ଦୟାମୟ ll
ମୁହିଁ ରାଜା ଅଟେ ମୋର
ତମୋମୟ ରାଜ୍ୟେ l
ବିଶ୍ୱ ସମ୍ରାଟ ମୋ ସଦା
ରହିଛନ୍ତି କାର୍ଯ୍ୟେ ll
ଦିବ୍ୟ ଚକ୍ଷୁ ବଳେ ଦେଖେ
ଏ ସାରା ଜଗତ l
ନାଚି ଖେଳି ଗାଉଛି ମୁଁ
ଆନନ୍ଦରେ ଗୀତ ll
ହୃଦେ ଭରି ଥାଅ ବିଭୁ
ହରଷ ସତତ l
ଗାଉଥାଏ ହର୍ଷେ ସଦା
ଜୀବନ ସଙ୍ଗୀତ ll
