ଦିବ୍ଯ ଦୀପାବଳି
ଦିବ୍ଯ ଦୀପାବଳି
ବରଷକେ ଥରେ କାର୍ତ୍ତିକ ମାସର
ଅମାବାସ୍ୟା ଯେବେ ଆସେ ।
ସେଦିନ ସନ୍ଧ୍ୟାରେ ଦିବ୍ଯ ଦୀପାବଳି
ଆଲୋକେ ଧରା ଝଲସେ ।୧।
ସଞ୍ଜ ନଇଁ ଗଲେ ଘର ଅଗଣାରେ
ହୁଏ ପୂପ ଦୀପଦାନ ।
ଦେବ ଋଷି ପିତୃପୁରୁଷମାନଙ୍କୁ
କ୍ରମେ ହୁଏ ଆବାହନ ।୨।
ଦୀପଦଣ୍ଡୀ ଖୋଳି ପୋଖରୀ ପରାଏ
ଗୋବରରେ ଲିପା ହୋଇ ।
ରହିଥାଏ ଆଗୁଁ ଚୁନାରେ ମଣ୍ଡଳ
ସେଠାରେ କାଟନ୍ତି ନେଇ ।୩।
ଏକ ଏକ କୁଶ ପୁରୁବ ଦିଗରେ
ଦୁଇ ଦୁଇ ଉତ୍ତରରେ ।
ତିନି ତିନି କୁଶ ଦକ୍ଷିଣେ ସଂସ୍ଥାପି
ବିଶ୍ବେଦେବାଙ୍କୁ ଶ୍ରଦ୍ଧାରେ ।୪।
ପୁରୁବ ଦିଗରେ ଆସନେ ବସାଇ
ସପ୍ତ ଋଷିଙ୍କୁ ଉତ୍ତରେ ।
ପିତୃ ମାତୃ ମାତାମହ ତ୍ରିପୁରୁଷ
ଦକ୍ଷିଣସ୍ଥ ଆସନରେ ।୫।
ନିବେଶ କରି ଆସନ ପାଦାସନ
ଗନ୍ଧ ପୁଷ୍ପ ଧୂପ ଦେଇ।
ପୂପ ଦୀପଦାନ ଦେବ ଋଷି ପିତୃ-
ଗଣଙ୍କୁ କ୍ରମେ ହୁଅଇ ।୬।
ବାଳୁଙ୍ଗାଧାନ ଶୁଆଁ ଲଇ ସମେତ
ଲିଆ ଅଦା ଆଖୁ ଆଦି ।
ବେତକନ୍ଦା କଦଳୀ କମଳା ସହ
ଶ୍ରାଦ୍ଧୀୟ ଦ୍ରବ୍ଯ ସମ୍ପାଦି ।୭।
ଦେବ ଋଷି ପିତୃ ସମର୍ପଣ କରି
କାଉଁରିଆ କାଠି ଆଣି ।
ଘୃତ ସଳିତା ଜଳାଇ ତା ଉପରେ
ଟେକି ଉପରକୁ ପୁଣି ।୮।
"ବଡ ବଡୁଆ ହେ ! ଅନ୍ଧାରରେ ଆସି
ଆଲୁଅରେ ଯାଅ" ବୋଲି।
"ବାଇଶିପାହାଚରେ ଗଡ ଗଡଉ ଥାଅ "
ସେ ବୋଲନ୍ତି ଖାଲି ।୯।
ସୁର ଲୋକ ତେଜି ସର୍ବ ପିତୃଗଣ
ମାତୃ ମାତାମହ ଆଦି।
ଅଗ୍ନି ଦଗଧ ଅଦଗଧ ଜୀବ ମୋ
କୁଳର ଅସ୍ତ୍ର ଶସ୍ତ୍ରାଦି ।୧୦।
ହତ ଯେଉଁମାନେ ପିତୃ ଶ୍ରାଦ୍ଧାକାଂକ୍ଷୀ
ମହାଳୟାରେ ଆଗତ ।
ସଭିଙ୍କୁ ବିିଦାୟ ଉଜ୍ଜ୍ବଳ ବର୍ତ୍ତିକା
ଦେଖାଉ ଉଜ୍ଜ୍ବଳ ପଥ ।୧୧।
ପୂପ ଦୀପାବଳି ଦାଣ୍ଡ ଦୁଆରରୁ
ସବୁ ଦୁଆର ମୁହଁରେ ।
ଜାଳି ଏ ପରବ ପାଳନ କରନ୍ତି
ସର୍ବେ ଆନନ୍ଦ ମନରେ। ୧୨।