ଦଇବ ଦଉଡ଼ି ମଣିଷ ଗାଈ
ଦଇବ ଦଉଡ଼ି ମଣିଷ ଗାଈ
ତା ଇଚ୍ଛାରେ ସିନା ଚାଲେ ଏ ଜଗତ
କର୍ତ୍ତା ସିଏ ଜଗତର,
ହାତରେ ଧରିଛି ସଭିଙ୍କ ଦଉଡ଼ି
ବାନ୍ଧି ମଣିଷ ବେକର।
ମଣିଷ ଭାବଇ ମୁଁ ସବୁ କରୁଛି
ମୋ ଇଚ୍ଛାର ମୁଁ ମାଲିକ,
ବୁଝିପାରେ ନାହିଁ ଇଚ୍ଛା ମୟ ଛନ୍ତି
ସବୁ କର୍ମ ର କାରକ।
ସମସ୍ତ ପ୍ରକାର ଭାବ ପ୍ରଦାୟକ
ଏକା ସିଏ ପରଂବ୍ରହ୍ମ,
ଗରବ ଗଞ୍ଜନ ବାନା ଉଡ଼େ ତା'ର
ଜାଣେ ସବୁରି ମରମ।
ଦେଖି ଜାଣି ବୁଝି ପାଳଇ ଜଗତ
ସଂସାର ମଙ୍ଗଳେ ସିନା,
ଭାବକୁ ଘେନିଣ କରେ ପ୍ରତିକାର
ବିପଦେ ସେ ବଜ୍ରସେହ୍ନା।
ମୁକାର ପଦକୁ ପାରେନା ସେ ସହି
ଠେଲି ଦିଏ ଶକ୍ତ କରି,
ସମର୍ପିତ ଭାବେ ଡାକିଲେ ଶୁଣଇ
ଦୁଃଖ ଦିଏ ଦୂର କରି।
ମୋର ବୋଲି ଧରି ଥିଲେ ଜାବୁଡ଼ି କି
ପାଖ ମାଡ଼େ ନାହିଁ ସିଏ,
ଟେକି ଦେଲେ ଦୁଇ ହାତ ତା ଉଦ୍ଯେଶ୍ଯେ
ବିପଦ ହଟାଇ ଦିଏ।
ପାଞ୍ଚାଳୀ ଟେକିଲେ ଦୁଇହାତ ଯେବେ
କୋଟି ବସ୍ତ୍ର ଦେଲା ଦାନ,
ସମର୍ପିତ ହୋଇ ପାଣ୍ଡବେ ପାଇଲେ
ଧର୍ମ କୀର୍ତ୍ତି ଯଶ ମାନ।
କରି ସମର୍ପଣ ନିଜ ସବୁ କିଛି
କରିଗଲେ କର୍ମ ଯେତେ,
ସବୁ ସେ ସମ୍ଭାଳେ ଶୁଭ ଦାନ କରେ
ତା ଇଚ୍ଛାର ଅନୁମତେ।
ପିତା ମାତା ସିଏ ଜ୍ଞାନ ଦାତା ସିଏ
ଜଗତ ଯାକର ଗୁରୁ,
ଅନୁଭବ କରି ଘେନ ହୃଦୟରେ
ଦୁଃଖ ହଟିବ ସଂସାରୁ।
ବିଶ୍ବାସ କରିବା ସେହି ଶକତିରେ
ସେ ଆମ ମୂଳ ଆଧାର,
ତା'ଭାବ ଡୋରି କୁ ଘେନିବା ଅନ୍ତରେ
ଶରଣ ପଶିବା ତା'ର।