ଧୂଳିକଣାଟିଏ ମୁଁ
ଧୂଳିକଣାଟିଏ ମୁଁ
ଗଣାନୁହେଁ କେଉଁଥିରେ
ସାମାନ୍ୟ ମୁଁ ଧୂଳିକଣାଟିଏ
ଅସ୍ତିତ୍ବ ମୋ କେତେ ଯେ ନଗଣ୍ଯ
ଫୁଙ୍କିଦେଲେ ମୁଁ ଯେ ଉଡିଯାଏ
ଚାହେଁନାହିଁ କିଛି ପରିଚୟ
ଦୁଃଖ ସୁଖ ଦୁନିଆର ସାଥୀ ହୋଇ
ଜିଇଁବାକୁ ଚାହେଁ
ମୋତେ କିଏ ବୁଝୁକି ନବୁଝୁ
ତିଳେ ନାହିଁ ଭୟ
ହୃଦୟକୁ କରି କରି ଜୟ
ଯେତେ ଜୀବ ଦୁନିଆରେ
ମୋ ଦେହେ ମିଶାଏ ।।
ଜାଣିଛ କି କେତେ ପୀଡା
ଯନ୍ତ୍ରଣା ମୁଁ ସହେ
ଏତେ ଟିକେ ଅସ୍ତିତ୍ବ ଭିତରେ ମୋର
କେମିତି ମୁଁ ଲୁହ ନଈ ନିତି ପିଉଥାଏ
ତଥାପି ମୁଁ ହାରେ ନାହିଁ
ତଥାପି ମୁଁ ଥକେ ନାହିଁ
ମରି ମରି ଜିଇଁବାକୁ ସଦା ଭଲପାଏ
କେତେ ପାଦେ ଚାପି ହୋଇ
ପଡି ଉଠି ଚାଲିବାକୁ ପଣ କରିଥାଏ
ଆଉ କିଛି ଭାବିବାକୁ ମୋତେ ବେଳ କାହିଁ !
ମୁଁ ତ ଚାହେଁ ମୋ ହସର ବର୍ଷାରେ
ଆନ ମୁଖ ଅଶ୍ରୁ ଯେତେ
ଦେବାପାଇଁ ଧୋଇ ।।
ଧୂଳିକଣାଟିଏ ହୋଇ
ଧରାପରେ ପଡିବାରେ ସାର୍ଥକତା ଅଛି
ଏକଥା ଜାଣିଛି
ଅହଂକାରର ମୁଁ କାର ଭିତରେ
ଜୀବନ କି ଅଛି !
ଛୋଟ ସିନା ସ୍ବପ୍ନ ଦେଖେ
ପବନ ପଣତ ଧରି ଛୁଇଁବାକୁ
ନୀଳ ଆକାଶକୁ
ଏ ଜୀବନ ଦୁଇଦିନ ଆଜି ଅଛି କାଲି ନାହିଁ
ବଡପଣ କାହିଁ ଏଠି କାହିଁ'
ଇଛା ମୋର
ଏଇ କଥା ଏ ବିଶ୍ବକୁ ଜଣେଇ ଦେବାକୁ ।।
