ଧୂଳି
ଧୂଳି
ଧୂଳିରୁ ଉଠି ଆସିଲା ପରେ
ଅଚିହ୍ନା ହୁଏ ସେ ଧୂସର ରଙ୍ଗ,
ମାଟିରୁ ମଥାନ ଦୂରତା ବଢ଼ିଲେ
ମାଟି ହୋଇଯାଏ ପର କୁଟୁମ୍ବ।
ବିସ୍ଫାରିତ ନେତ୍ର ସମ୍ମୁଖରେ
ଦିଶେ ନାହିଁ ପାଦ ଆଉ ପାଦତଳ ମାଟି,
ଆକାଶର ନିଳିମା ଭିତରେ
ହଜିଯାଏ ଜୀବନର ଆଦ୍ୟ ପ୍ରଭାତୀ।
ସ୍ଵଳ୍ପାୟୁ ସୁଖର ଇନ୍ଦ୍ରଧନୁ ଆଗେ
ଗୌଣ ହୁଏ ମାଟିର ସେ ଧୂସର ସ୍ଥିରତା,
ଗୋଧୂଳି ଅସହ୍ୟ ଲାଗେ
ନିଷିଥରେ ହଜିଯାଏ ପ୍ରାଣର କବିତା।
ଷଠିଘରେ ଅନାଦୃତ କଉଡ଼ି ଚକ୍ଷୁରେ
ଦିଶୁଥାଏ ପ୍ରତୀକ୍ଷାର ଅନନ୍ତ ଚାହାଣି
ଧୂଳି ଦିନେ ଧୂଳିରେ ମିଶିବ
ଏଇ ପରା ଜୀବନର ବାସ୍ତବ କାହାଣୀ।
