ଧୀର ପାଣି ପଥର କାଟେ
ଧୀର ପାଣି ପଥର କାଟେ
ପାଣି ଗତି ନିମ୍ନ ଯେତେ ବାଧାବିଘ୍ନ
ଆସିଲେ ବି ଧର୍ମ ପାଳଇ
ଗିରିଗହ୍ବରର ନିର୍ଗତ ନିର୍ଝର
ସାଗରାଭିମୁଖୀ ହୁଅଇ
ତା' ଗତିରୋଧ
ହୁଅଇ ପାର୍ବତ୍ୟଶଯ୍ୟାରେ
ବିଶାଳ ଶିଳା କି ପ୍ରକାଣ୍ଡ ପାଦପ
ନିରସ୍ତ୍ର ବି କରିନପାରେ ।
ବର୍ଷ ମାସ ଦିନ ସେ ନିରବଚ୍ଛିନ୍ନ
ଅବିଶ୍ରାନ୍ତ ଧୀର ଉଦ୍ୟମେ
ଶେଷେ ବାନ୍ଧି ପାଟ ବିଜୟ ମୁକୁଟ
ଜଳସ୍ରୋତ ନିଜର ଧର୍ମେ
ବଢେ ଆଗକୁ
ଭେଦି ଶିଳାର ଆସ୍ତରଣ
କ୍ଷୟପ୍ରାପ୍ତ ସେହି ଶକ୍ତ ଶିଳାଖଣ୍ଡ
ବାଲିରେ ପରିଣତ ଜାଣ ।
ସ୍ରୋତେ ବାଧାପ୍ରାପ୍ତ ହୋନ୍ତି ଉତ୍ପାଟିତ
ଯେତେ ବିଶାଳ ବୃକ୍ଷରାଜି
ଦେବାପାଇଁ ପଥ ବାଧ୍ୟେ ମଥାନତ
ଝର ପାଖେ ଗରବ ଭାଜି
ଅତି ଆବେଗେ
ଧାଇଁଧାଇଁ ନିର୍ଝରିଣୀଟି
ମାର୍ଗେ ପୂର୍ଣ୍ଣଗର୍ଭା ନଦୀ ରୂପ ଶୋଭା
ସାଗରରେ ମିଶିଥାଏଟି ।
ବିଫଳତା ଶିଡି ବାରବାର ଚଢ଼ି
ଧୀର ପାଣି ପରି ଉଦ୍ୟମେ
ପର୍ବତ ସମାନ ଯେତେ ବାଧାବିଘ୍ନ
କଟାଇ ଅକଳାନ୍ତ ଶ୍ରମେ
ଉଦ୍ୟମୀ ନର
ଦିନ ବର୍ଷ ମାସ ବିଶ୍ବାସେ
ନଭାଙ୍ଗି କେବଳ ଦୃଢ଼ ମନୋବଳେ
ସଫଳତା ଲଭଇ ଶେଷେ ।
ଅହିଂସା ବଳରେ ଧୀର ଉଦ୍ୟମରେ
ଶେଷେ ସ୍ବାଧୀନତା ପରଶ
ପ୍ରତି ଭାରତୀୟ ହୃଦୟରେ ଜୟ
ଧ୍ବନି ତୋଳିଥିଲା ହରଷ
ନାନା ଅସାଧ୍ୟ
ଅଶେଷ କାର୍ଯ୍ୟର ସାଧନ
ବୈଜ୍ଞାନିକ ଆବିଷ୍କାର ମେରୁ ଯାତ୍ରା
ଅନ୍ତରୀକ୍ଷାଦି ଅଭିଯାନ ।
ସମ୍ପର୍କ ଭିତରେ ଅବୁଝାମଣାରେ
ପାହାଡ଼ ପରି ବି ସମସ୍ୟା
ହୁଏ ଆଗେ ଠିଆ ଥରି ଉଠେ ହିଆ
ମନଟି ହରାଏ ବି ଆଶା
ଧୀର ମଧୁର
ସ୍ବଭାବ କେବଳ ଭରସା
ବିଶ୍ବାସକୁ ତୋଳି ଭରିଲେ ଅଞ୍ଜଳି
ଶେଷରେ ଖୁସିର ବରଷା ।
