STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଧୀର ହୋଇ ଥିବା ରହି

ଧୀର ହୋଇ ଥିବା ରହି

1 min
224


        କେତେ କେତେ ଫୁଲ ଫୁଟନ୍ତି ସକାଳେ

                   କାକରରେ ମୁହଁ ଧୋଇ

         କିଛି ତୋଳିହୁଏ ବାକି ଝଡିଯାନ୍ତି

                   ମଉଳା କୁସୁମ ହୋଇ ।। 


         କେତେ କେତେ କଥା ଆସନ୍ତି ଆବେଗେ

                   କାହାଣୀ ଗଢିବେ ବୋଲି

         କିଛି କହିହୁଏ ବାକି ପାରନ୍ତିନି

                    ଓଠର ଦରଜା ଖୋଲି ।। 


         କେତେ କେତେ ନଦୀ ବହନ୍ତି ସରାଗେ

                    ବାଟ ବାଧା ଥାଉ ଯେତେ

         କିଛି ବହିଯାଇ ମିଶନ୍ତି ସାଗରେ

                    ଛୁଇଁ ପାରନ୍ତିନି କେତେ ।। 


         କେତେ କେତେ ଆଖି ଦେଖନ୍ତି ସପନ

                    ନିଦେ ଶୋଇ ଅବା ଚାହିଁ

         କିଛି ସତ ହୁଏ ବାକି ହଜିଯାନ୍ତି

                    ଆଖି ବି ତା' ଜାଣେନାହିଁ ।। 


          କେତେ କେତେ ମେଘ ବୁଲନ୍ତି ହରଷେ

                    ସାରା ଆକାଶକୁ ଘେରି

         କିଛି ବରଷନ୍ତି ବାକିତକ ଯେଝା

                    ଘରକୁ ଯାଆନ୍ତି ଫେରି ।। 


         କେତେ କେତେ ଚାରା ନିଅନ୍ତି ଜନମ

                   ଆମ୍ବ, ଜାମୁ ଆଦି ନାମେ

          କିଛି ବଡ ହୋଇ ସେବାରେ ଲାଗନ୍ତି

                   ବାକି ଲାଗନ୍ତିନି କାମେ ।। 


          କେତେ କେତେ ପଶୁପକ୍ଷୀ ଏ ଜଗତେ

                   ରୂପ,ଗୁଣ ତାଙ୍କ କେତେ

          କିଛି ନିଜ ନିଜ ଜୀବନ ବଞ୍ଚନ୍ତି

                    ପରାଧୀନ ବାକି ଯେତେ ।। 


          ତେଣୁ କିଆଁ କୁହ ହୋଇବା ଅଥୟ

                    ପାରିଲିନି ବୋଲି କହି

          ଯେତିକି ପାରିବା ସେତିକି କରିବା

                    ଧୀର ହୋଇ ଥିବା ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational