ଧୈର୍ଯ୍ୟ ହାରିବିନି ବଞ୍ଚିଥିବା ଯାଏ
ଧୈର୍ଯ୍ୟ ହାରିବିନି ବଞ୍ଚିଥିବା ଯାଏ
ଦେଖ, କି ସୁନ୍ଦର ଦିଶେ ମୋ ଚକା ନୟନ, ନେତ୍ର
ହୁଏ ପବିତ୍ର, ଦେଖି କାଳିଆର ବଦନ
କିଏ ଭୁଲି ପାରିବକି ସେଇ ରୂପକୁ, ଯାହାକୁ ତେତିଶି
କୋଟି ଦେବତା, ସଦା କରନ୍ତି ଚିନ୍ତନ |୧|
ଜ୍ୟେଷ୍ଠ ପୂର୍ଣ୍ଣିମା, ତୁମେ ଶ୍ରୀମନ୍ଦିରେ ସ୍ନାନ ମଣ୍ଡପକୁ,
ଧାଡ଼ି ପହଣ୍ଡିରେ ଆସ, ହୋଇ ଚତୁର୍ଦ୍ଧା ମୂର୍ତ୍ତି
ସେଇ ପବିତ୍ର ରୂପକୁ ତୁମର, ସ୍ବୟଂ ପୂର୍ଣ୍ଣ ବ୍ରହ୍ମ ଦେଖି
ଦାରୁ ବ୍ରହ୍ମ ରୂପେ କରିଥିଲେ ସେହି ସ୍ତୁତି |୨|
ହେ ସୁନ୍ଦର ଶୋଭାଧାରୀ, ରହି ଶ୍ରୀ ମନ୍ଦିରରେ, ଖାଇ
ଛପନ ଭୋଗ, ମୋତେ ସିନା କଲ ପର
ମୋତେ ଗଲ ଭୁଲି, କେମିତି କହିଵି ବେଶି ଭଲ ପାଏ
ବୋଲି, ମୁଁ କଅଣ ସତରେ ଅଧମ ପାମର |୩|
ତୁମ ଲଲାଟର ଚିତା ଦେଖି ମନ ହୁଏ ତର ତର,
କେବେ ଦେଖିବି ତୁମର ଚାରୁ ଚନ୍ଦ୍ର ବଦନ
ସତ କହେ ଆହେ ଚକା ଆଖି, ନିଜର ହେବାକୁ ଚାହେଁ,
ଚକା ଚକା ଦୁଇ ଆଖି କରେ ବିମୋହନ |୪|
କର୍ଣ୍ଣରେ କୁଣ୍ଡଳ, ଗଳାରେ କୌସ୍ତୁଭର ହାର, କରିଅଛ
ପରା ପରିଧାନ, ଦିବ୍ୟ ପୀତ ବସନ
ଦେଖ, କି ସୁନ୍ଦର ଦିଶେ ମୋ ଚକା ନୟନ, ସର୍ବ ନେତ୍ର
ହୁଏ ପବିତ୍ର ଦେଖି, କାଳିଆର ବଦନ |୫|
ମିଛ ମାୟା ସଂସାରର ମୋହରେ ପଡି଼ ତ ରହି ଅଛି,
ହେଉଛି ମୁଁ ଯେ ବାଟବଣା ଓ ବିବଶ,
ସ୍ୱାର୍ଥ ମୋର ବଢାଉଛି ଲୋଭ, ଜାଣି ମଧ୍ୟ ତୁଚ୍ଛା ଆଶା,
ମୋର ବିବେକ ଜ୍ଞାନ ବୁଦ୍ଧି ହୁଏ ନାଶ |୬|
ଵିନା ନୟନରେ ସବୁ ଦେଖିପାର, ତୁମ ହୃଦେ ନାହିଁ ଏ
କିଙ୍କର, ମୋ ଅଶ୍ରୁ ତେଣୁ କି ଦେଖିଲ ନାହିଁ
ଅଭିମାନ କାହିଁକି କରିବି, କଲେ ବା କି ଲାଭ ହେଵ, ତଥାପି
ମୋ ଧୈର୍ଯ୍ୟ ହାରିବିନି ବଞ୍ଚିଥିବା ଯାଏ ମୁହିଁ |୭|
