ଧାରା ଶ୍ରାବଣ
ଧାରା ଶ୍ରାବଣ
ଧାରା ଶିରାବଣ ପ୍ରବେଶେ
ଧରଣୀ ହରଷରେ ହସେ ।
ଚାଷୀକୁଳ ମଙ୍ଗଳକାରୀ
ପାଳଇ ପ୍ରଜା ବର୍ଷି ବାରି ।
ମେଘ ମଲ୍ଲାରେ ବୃକ୍ଷଗଣ
ଉତ୍ଫୁଲ୍ଲେ ହରଷିତ ମନ ।
ବର୍ଷାର ରିମଝିମ୍ ଛନ୍ଦେ
ପଲ୍ଲବ ନାଚଇ ଆନନ୍ଦେ ।
ଭରଇ ଗଡ଼ିଆ ପୋଖରୀ
ନଦୀ, ନାଳର ତନୁ ଭାରି ।
ନଦୀ କୂଳ ଲଙ୍ଘି ଛୁଟଇ
ସିନ୍ଧୁ ବକ୍ଷରେ ମିଶେ ଯାଇ ।
ନଷ୍ଟ କରେ ଧନ ଜୀବନ
ତଥାପି ହସେ ଚାଷୀ ମନ ।
ହ୍ୟୁମସ କ୍ଷେତ ପାଇଁ ସାର
ଫସଲ ଉତ୍ପନ୍ନ ପ୍ରଚୁର ।
କ୍ଷୁଦ୍ର ଜଳାଶୟରେ ଭେକ
ରାବନ୍ତି ମନେ ଲଭି ସୁଖ ।
ବୃହତେ ନାନା ଜଳଜୀବ
ଡିଆଁ ଡେଇଁରେ କେତେ ଭାବ ।
ବାଳକେ ଅସରନ୍ତି ଖୁସି
କାଗଜ ଡଙ୍ଗା ଯାଏ ଭାସି ।
ନାଚିନାଚି ଆଗକୁ ଧାଏଁ
ବାଳକ ମନ ନାଚୁଥାଏ ।
ତଲାରି ପକ୍ଷିଆ ମୁଣ୍ଡାଇ
କୃଷକ ତା'ର କ୍ଷେତେ ଯାଇ ।
କରଇ ରୁଆପୋତା ତଳି
ହରଷେ ନାନା ସୁର ତୋଳି ।
ଷଠିଆ କ୍ଷେତୁ ବାଛି ଘାସ
ଖୋଜଇ ଶ୍ରାବଣ ପରଶ ।
ଧାରାରେ ଧାନ ହୋଇ ତୁଷ୍ଟ
ହୁଅଇ ତନୁ ହୃଷ୍ଟପୁଷ୍ଟ ।
ସନ୍ତସନ୍ତିଆ ପରିବେଶ
ମଶା ମାଛିଙ୍କର ହରଷ ।
ରୋଗ ଜୀବାଣୁ ଭରି ଦେଇ
ମାନବ ଜୀବନ ନାଶଇ ।
ପ୍ରତିଷେଧକ ବ୍ୟବହାର
ରହଇ ଜୀବନ ଆମର ।
ଲଟା ଅରମା କରି ସଫା
ଚଉପାଶ ଦିଶଇ ତୋଫା ।
ଚିତାଲାଗି ଗହ୍ମା ପୂର୍ଣ୍ଣିମା
ମନରେ ଖୁସି କରେ ଜମା ।
ପିଠା ପଣାରେ ପ୍ରତି ଘର
ବାସନା ଛୁଟାଏ ପ୍ରବଳ ।
ଭଉଣୀ ଭାଇର ସମ୍ପର୍କ
ରକ୍ଷା ବନ୍ଧନ ମଧୁପର୍କ ।
ସମ୍ପର୍କ ସୂତା ଭାଇ ହାତେ
ବାନ୍ଧି ଶୁଭ ମନାସେ କେତେ ।
କଦମ୍ବ ବାସି ମହମହ
ଛୁଟାଏ ବାସନାର ସୁଅ ।
କଦମ୍ବ ମୂଳେ କୃଷ୍ଣ ଲୀଳା
ମାନସେ ତୋଳି ବାନ୍ଧୁ ଭେଳା ।
