ଦଗ୍ଧିତ ଧରଣୀ
ଦଗ୍ଧିତ ଧରଣୀ
ଋତୁ ଅନୁଭବ କମି କମି ଆସେ
କେବଳ ଗ୍ରୀଷମ କାୟା ବିସ୍ତାରେ
ସୂର୍ଯ୍ୟଦେବଙ୍କର ପ୍ରକୋପେ ସତେକି
ଧରଣୀ ରାଣୀ ତା ଆଭା ହରାଏ ।
ଧରଣୀ ମାଆର ଆକୁଳ କ୍ରନ୍ଦନ
ଜଳି ଯାଉଛି ତା ସବୁଜ ଶାଢୀ
ଧରଣୀ ମାଆ ଯେ ଆଁ କରି ଚାହେଁ
ଆକାଶକୁ ମାଗେ ଶୀତଳ ବାରି ।
ତା ସବୁଜ ଶାଢୀ ଧୂସର ହୋଇଛି
ତା ଜୀବ ଜଗତ ଦଗ୍ଧ ହେଉଛି
ବୃକ୍ଷରାଜି ତାର ଜଳି ଝାଉଁଳୁଛି
ପକ୍ଷୀ କୂଳ କାହିଁ ଠାବ ନ ପାନ୍ତି ।
ତା ବୁକେ ବାଟୋଇ ଚାଲି ଥକି ଯାଏ
ପାଏନି ଟିକିଏ ଛାୟାର ରାହା
ଦଗ୍ଧ ଧରଣୀର ବୁକୁ ଭରା କୋହ
ହୋଇ ପାରୁନି ସେ କାହାର ସାହା ।
ଦଗ୍ଧିତ ଧରଣୀ ବାହୁନି କାନ୍ଦୁଛି
ତା ଜୀବ ଜଗତ ଦୁଃଖକୁ ଦେଖି
ତା ବନ୍ୟ ସମ୍ପଦ ପଶୁ ପକ୍ଷୀ ବୃନ୍ଦ
ଜଳ ବିନା ଆହା କି ନିରିମାଖି ।
ଦଗ୍ଧିତ ଧରଣୀ ବିକଳ କାନ୍ଦଣା
ମନରେ କରୁଛି ଭିତି ସଂଚାର
ମଣିଷ ବି ଆଜି ଛଟପଟ ହୁଏ
ଆକୁଳେ ଖୋଜୁଛି ଶାନ୍ତିର ଘର ।
ଦଗ୍ଧିତ ଧରଣୀ ବାହୁନି କାନ୍ଦୁଛି
ମଣିଷକୁ ଆଜି ପଚାରେ ପ୍ରଶ୍ନ
ଉନ୍ନତି ନାମରେ ଦୁର୍ଗତିକୁ କିମ୍ପା
ଡାକୁଛ କାହିଁକି ଶ୍ରେଷ୍ଠ ସୃଜନ ।
ଦଗ୍ଧିତ ଧରଣୀ ତତଲା ଲୁହ ଯେ
ତାପିତ କରୁଛି ସାରା ସଂସାର
ଛାତି ଫଟା କୋହେ ବିନତୀ କରୁଛି
ଫେରାଇ ଦିଅ ମୋ ଶିରୀ ସମ୍ଭାର ।
ଦଗ୍ଧିତ ଧରଣୀ ସନନ୍ଦ ଲେଖୁଛି
ଆହେ ଶ୍ରେଷ୍ଠ ଜୀବ ଶୁଣ ମୋ କଥା
ତୁମେ ବି ତ କଷ୍ଟେ ଛଟପଟ ହୁଅ
ଚିନ୍ତା କରି କୁହ ସାଧନ ପନ୍ଥା ।
ଦଗ୍ଧିତ ଧରଣୀ ଜୀର୍ଣ୍ଣ ଶୀର୍ଣ୍ଣ ଦେହେ
ମାନବେ ମାଗଇ ଜୀବନ ଭିକ୍ଷା
ଏ ପୃଥିବୀ ହେଉ ଋତୁମୟ ପୁଣି
ଉତ୍କଟ ଜ୍ୱଳନୁ କର ହେ ରକ୍ଷା ।
ସବୁ ଋତୁ ସଙ୍ଗେ ଗ୍ରୀଷମ ବି ଆସୁ
ସୀମା ନଲଙ୍ଘୁ ଏ ଗ୍ରୀଷ୍ମପ୍ରବାହ
ଏଥିପାଇଁ ଆହେ ହେ ମଣିଷ ଜାତି
ତୁମେ ଅଟ ପୁଣି ହେ ବାର୍ତ୍ତାବହ ।
ଦଗ୍ଧିତ ଧରଣୀ ଶୂନ୍ୟ ଗର୍ଭା ହେଲେ
ତୁମେ କି ଖୁସୀରେ ରହି ପାରିବ
ଜୀବନ ଯନ୍ତ୍ରଣା ତୁମେ ବି ଭୋଗିବ
ଭବିଷ୍ୟତ ହେବ ଅନ୍ଧାର ମୟ ।
ଦଗ୍ଧିତ ଧରଣୀ ଚିନ୍ତା ମଗ୍ନ ହୋଇ
ସୂର୍ଯ୍ୟ ଦେବ ପାଖେ ହୁଏ ନିଊନ
ଆହେ ସୂର୍ଯ୍ୟଦେବ ହେଳେ ଦୟାକର
ପ୍ରଖରତା ହ୍ରାସ କର ତପନ ।
ଉତ୍କଟତା ଛାଡ଼ି ବିଧିବତ୍ତା ଦିଅ
ତୁମରି କିରଣ ବିଶ୍ଵାସ ବାଣ୍ଟୁ
ନିଷ୍କ୍ରିୟ ମଣିଷ ସକ୍ରିୟ ହେଉ ହେ
ସଂଯମତା ଗୁଣ ଆବୋରି ବସୁ ।
ଦଗ୍ଧିତ ପୃଥିବୀ ଅନୁନୟ ହୋଇ
ମାନବେ କରଇ ଯେ ଅନୁରୋଧ
ବ୍ୟକ୍ତି ସ୍ଵାର୍ଥ ପାଇଁ ଏ ବିଶ୍ଵ ଭୁବନେ
ହାହାକାର ରଚ ନାହିଁ ମାନବ ।
ପୁସ୍ତକ ଜ୍ଞାନକୁ ସତ୍ କର୍ମେ ଲଗାଇ
ଏ ଧରାକୁ କର ବିଭାମଣ୍ଡିତ
ଲିଭି ଯାଉ ଯେତେ ଜ୍ଵାଳା ଓ ଜ୍ୱଳନ
ବହୁ ଏ ଧରାରେ ଶାନ୍ତିର ସ୍ରୋତ ।
