ଦେଖ ଆଉ ଶିଖ
ଦେଖ ଆଉ ଶିଖ
ଜୀବନରେ ବଡ଼ ମଣିଷ ହେବାକୁ
ଯେବେ ଚାହଁ ପିଲେ ଶୁଣ ଏକଥା
ଦେଖି ଶୁଣି ଭଲ ଶିଖି କୁହ ଭଲ
ସତ କର୍ମେ ଥିର ରଖି କି ମଥା ।
ଦେଖିଲେ ଶିଖିଲେ ସେଥେ ଧ୍ୟାନ ଥିଲେ
ଆବଶ୍ୟକତାକୁ ନିଇତି ଲୋଡି଼
ନବ ଉନ୍ମାଦନା ନବ ଚେତନାରେ
ଆଗକୁ ଜୀବନେ ପାରିବ ବଢ଼ି ।
ଆଗ୍ରହ ପ୍ରଚେଷ୍ଟା ବାଟ କଢାଇବ
ଗୁରୁ, ପିତାମାତା ଆଶିଷ ବଳେ
ଉତ୍ସାହ ପ୍ରେରଣା ଲଭି ତାଙ୍କଠାରୁ
ଶ୍ରେଷ୍ଠ ବୋଲାଇବ ଭୂମଣ୍ଡଳେ ।
ଯେତେ ବି ବାଧକ ଠିଆହେଲେ ଆଗେ
ଅସୀମ ଧଇର୍ଯ୍ୟ ସାହସ ଧରି
କରିଗଲେ କର୍ମ ବିଭୁ ଚିନ୍ତନରେ
ଆପେଆପେ ଯିବ ତା' ଅପସରି ।
ସର୍ବଦା ବିଜୟ ସତ୍ୟ ଧରମର
ଅସତ୍ୟ ଅଧର୍ମ କରିକି ନାଶ
ପ୍ରଜ୍ଞାକୁ ବଢ଼ାଇ ସ୍ଥିରବୁଦ୍ଧି ହୋଇ
ଜୀବନକୁ ଦିଅ ସୁଖ ପରଶ ।
