ଦେହ
ଦେହ
ସ୍ୱାଭାବିକ ଗଛଟିଏ ତ ତୁ..
ପେନ୍ଥା ପେନ୍ଥା ଫୁଲର ଆସ୍ପର୍ଦ୍ଧାରେ
ସଦା ଉତ୍ଫୁଲ୍ଲିତ,
ଦୁଲ ଦୁଲ, ଅପାର ସମ୍ଭାବନାରେ,
ବିମୋହିତ ତୁ,
ଅଫୁରନ୍ତ ବାସ୍ନାର ମାଦକତାରେ
ମସଗୁଲ ବି ତୁ......,
କାହିଁକି ହେବୁନୁ ଯେ..?
ତୋ ପାଇଁ ତ ଏ ବନ୍ଧୁର ମାଟି ହୁଏ
ମହ ମହ ମାଟି ଲଗ୍ନା,
ତା ଦେହରେ ସଂଚିତ,
ଅନେକ ଦିନର ବନ୍ଧୁର ପଣ
ଅସମ୍ଭବ ବୁଦ ବୁଦ ବି,
ଆଣେ ତୀକ୍ଷ୍ଣ ଉଷ୍ମ ଉନ୍ମାଦନା,
ମହ ମହ ମାଟି ମଗ୍ନl..!
ତୋ ସ୍ପର୍ଶରେ ଉତ୍ତୁଙ୍ଗ ଉର୍ବରତା,
ତୋ ପାଇଁ ତ..
ଏ ପବନ ବି ହୁଏ ଆନମନା,
ତା ସ୍ୱାଭାବିକତା,ତା ବିଭୋର ପଣ
କ୍ଳୀବ ମନ୍ଥରତା ଭାଙ୍ଗେ ନୀରବତା,
ତୋ ପାଇଁ ସେ ସ୍ଲୀଥ
କାଚକେନ୍ଦୁ ପାଣିରେ ବି ମୃଦୁ ଶିହରଣ,
ହୁଏ ଅହରହ ତୀବ୍ର ତରଙ୍ଗାୟିତ,
ଛୁଏଁ ତଲ୍ଲୀନ ମଧୁରତା,
ଶିରା ପ୍ରଶିରା ପ୍ରବାହରେ
ସବୁ ଅଙ୍ଗ ପ୍ରତ୍ୟଙ୍ଗ ଛୁଇଁ ଯିବାର ନିଶା,
ପ୍ରତି ବିନ୍ଦୁରେ ପ୍ରବେଶିବାର
ଦୁର୍ବାର ଅଭିପ୍ସା,
ଛୁଇଁ ବାକୁ ସେ କୋମଳ ଅସ୍ଥି,
ମଜ୍ଜା, ମେଦ,ବୃନ୍ତ, ଶିରା, ପ୍ରଶିରା,
ପ୍ରତି ଇଚ୍ଛା, ଅନିଚ୍ଛା,
କୋଣ ଅନୁକୋଣ..!
ତୋର..
ଚିର ହରିତ ପତ୍ର ମାନଙ୍କର
ଅପୂର୍ବ ସମ୍ଭାର,
କୋମଳ ଡାଳରେ ଉଙ୍କି ମାରୁଥିବା
ଆଲୁରୁ ବାଲୁରୁ ଭାବନାର
କଂଅଳ ସବୁଜ ପତ୍ର
ଓ ତାର ଗହଳ ଭିତରେ
ନିଜକୁ ହଜେଇବାର ଆତୁର
ତୃପ୍ତ ଭାବାବେଗ
ଆଉ ଅସମ୍ଭବ କାକଳି...!
ଏବେ, ପ୍ରତି କ୍ଷଣ, ପ୍ରତି ମୁହୂର୍ତ୍ତ,
ଛନ ଛନ ମନ ମଧ୍ୟ୍ୟରେ
ଏ ବିଶାଳ ଆକାଶକୁ ଛୁଇଁ ଯିବାର,
ଆତୁର ନଭଶ୍ଚୁମ୍ଭି ବିଭୋର ପଣ,
କାଣ୍ଡରେ ତ ତୋର
ଅସରନ୍ତି ଦ୍ରଵିଭୂତ ଦ୍ରବଣ,
ଆଶା ଆକାଶରେ ବିଛୁରିତ ସୂର୍ଯ୍ୟ ରଶ୍ମୀ,
ଭରସାର ଉଷ୍ମ ପ୍ରସଵଣ..!
ଏବେ ଏବେ,
ଖୁନ୍ଦି ହୋଇ ଯିବାର ଯେ ଦୁର୍ବାର ନିଶା,
ତୋ କଅଁଳ ବୃନ୍ତରେ
ଅସରନ୍ତି ରେଣୁ,
ସ୍ୱପ୍ନାୟିତ ଜ୍ୟୋସ୍ନା, ଅଭୀପ୍ସିତ ଆକାଂକ୍ଷା..!
ସେ ଭୁରୁ ଭୁରୁ ଗଂଧରେ
ପୂର୍ଣ୍ଣ ପ୍ରତିକ୍ଷୀତ ଭଅଁର ମାନଙ୍କର
ଅକୁତ୍ରିମ ଉନ୍ମତତ୍ତା,
ତୋ ସୁକୋମଳ ଡାଳରେ
ସ୍ପର୍ଦ୍ଧିତ ବସଂତ..!
ତୋ ସବୁଜ ପତ୍ରରେ
ପଲ୍ଲବିତ ପୂରକ..! ଆଉ ସେ ସବୁଜିମା
ତୁମ ପଲ୍ଲବିତ ଦେହ..!!

