ଦେହ
ଦେହ
ସୁପ୍ତ ଆଗ୍ନେୟଗିରି ର ଜୀବନ୍ତ ଲାଭା
କେବେ କେମିତି ଟକ୍ ମକ୍ ହୋଇ ଫୁଟେ ,
ନୀରିହ ପଣରେ ତଲ୍ଲୀନ ହେଉ ହେଉ
ହିଂସ୍ର ହୋଇ ଅନ୍ଧାରରେ ଆଗକୁ ବି ଛୁଟେ ।
ନୂଆ ପୃଥିବୀର ସୃଷ୍ଟି ସନ୍ଧାନରେ
ଅମଡ଼ା ବାଟରେ ଅପହଞ୍ଚ ଇଲାକାରେ
ଅନୁଭବର ଅଦ୍ୱିତୀୟ ଇଛା ନେଇ
ନିର୍ବାଣ ପ୍ରାପ୍ତିର ଅସରନ୍ତି ଅଭୀପସାରେ ।
ଏମିତି ବି ଦେହ ଶୀତ ସକାଳର ସ୍ବର୍ଣ୍ଣିମ ରଙ୍ଗ
ଶିହରିତ ମନର ଚିର ସବୁଜ ସାଙ୍ଗ
ସାରା ଜୀବନ ମଣିଷର ତା'ଠାରେ ହିଁ ମୋହ
ତାକୁ ନେଇ ହସ ତାକୁ ନେଇ କୋହ ।
ତା' ଖୁସି ପାଇଁ ଯେତେ ସବୁ ପ୍ରଯତ୍ନ
ପାର୍ଥିବ ଅପାର୍ଥିବ ସୁଖର ଆୟୋଜନ
ଯୈ।ବନର ଉନ୍ମୁକ୍ତ କାମନା ବାସନା
ଉଦବେଳିତ ମନର ଅସରନ୍ତି ବେଦନା ।
ଦୋ ମୁହାଁ ଚୁଲିରେ ସେ କୁହୁଳା ନିଆଁ
ସମୟର ଶ୍ମଶାନେ ଦଗ୍ଧିଭୂତ ପାଉଁଶିଆ ଧୂଆଁ,
ମାଟିରେ ଜନ୍ମ ହୋଇ ମାଟିରେ ମିଶଯାଏ
ତଥାପି ତମାମ ଜୀବନ କେବଳ ନିଜ ଖୁସି ଚାହେଁ ।