ଦେହ
ଦେହ
ରକ୍ତ ମାଂସ ଦେଇ ଗଢା ଏ ଶରୀର
ପଞ୍ଚଭୂତ ଅଙ୍ଗେ ବାସ
ନବ କଳେବର ହେଉ ଥାଏ ପରା
ଛାଡି ନିଃଶ୍ୱାସ ପ୍ରଶ୍ଵାସ ।
ମାନ ଅଭିମାନ ରାଗ ରୁଷା ପ୍ରେମ
ସବୁ ତ କାୟାରେ ବନ୍ଧା ।
ପ୍ରହରୀ ସାଜିଛି ବେନି ନେତ୍ର ଏଠି
ମାନସେ ଉପୁଜେ ଧନ୍ଦା ।
କର୍ମ ଅନୁସାରେ ସୁବେଶ କରିଲେ
ପରିଚୟ ହୁଏ ସ୍ଥିର
ଦେହେ ଉପବିତ ଶୋଭା ପାଉ ଥିଲେ
ବ୍ରାହ୍ମଣେ ଗଣିତା କର ।
ଦେହ ଅପବିତ୍ର ଦେହ ଯେ ପବିତ୍ର
ଚରିତ୍ର ଚିତ୍ରଣ ନେଇ
ତୁଛ ଏଇ ଦେହ ମାଟି ପିଣ୍ଡ ପରା
ଗରବ କରିବ ନାହିଁ ।
ଯେତେ ଦିନ ଶକ୍ତି ଶରୀରରେ ଥିବ
ପ୍ରାପ୍ତ ହେଉ ଥାଏ ଅନ୍ନ
ଶିଥିଳ ପଡିଲେ ତନୁ ରୂପ କାନ୍ତି
ନଥିବ କାହାର ଚିହ୍ନ ।
କିଛି ଦିନ ପାଇଁ ଧରିଛ ଏ କାୟା
ଏ ନୁହେଁ ତୋହର ଦେହୀ
ଅଭିନୟ ସାରି ଭୂସ୍ବର୍ଗ ଛାଡିବ
ମହୀରୁ ଯିବେନି କେହି ।
ପ୍ରତ୍ୟେକ ଅନ୍ତିମ ସୁଖେ ଦୁଃଖେ ଅନ୍ତ
କିଛି ପୁଣି ମରୁ ପରି
ସେହି ଉଦ୍ୟାନକୁ ସଯତ୍ନେ ପାଳିଲେ
ଭେଟିବ ନିଶ୍ଚୟେ ହରି ।
