ଦେବଯାନୀ (ପଞ୍ଚମ କଳିକା)
ଦେବଯାନୀ (ପଞ୍ଚମ କଳିକା)
ଗହ ଗହ ଆଜି କମ୍ପୁଛି,ଦେବସଭା ତ୍ରିଦିବେ,
ଅଳଙ୍କୃତ କରି ସ୍ବସ୍ଥାନ,ବସି ଅଛନ୍ତି ଦେବେ
ସିଂହାସନେ ଇନ୍ଦ୍ର ଆସୀନ,ନିକଟେ ବୃହଷ୍ପତି,
ସୂର୍ଯ୍ୟ,ଚନ୍ଦ୍ର,ଅଗ୍ନି,ବରୁଣ,ସର୍ବେ ବିରାଜିଛନ୍ତି
ଗନ୍ଧର୍ବେ କରନ୍ତି ସଂଗୀତ,ଗାନ ଲଳିତ ସୁରେ,
ଉର୍ବଶୀ ମେନକା ନୃତ୍ୟନ୍ତି,ଗାନ,ମାନ ଝଙ୍କାରେ
ସ୍ୱତନ୍ତ୍ର ଆସନେ ଆସୀନ,ସେନାପତି କୁମାର,
ଉପସ୍ଥିତ ଯାହା ନାହାଁନ୍ତି, ଶିବ,ବ୍ରହ୍ମା,ଶ୍ରୀଧର
ଏ ସମୟେ ବ୍ରହ୍ମା ନନ୍ଦନ,ଋଷିକୁଳ ଚନ୍ଦନ,
ପ୍ରବେଶିଲେ ବୀଣା ବଜାଇ ,ଗାଇ 'ଶ୍ରୀନାରାୟଣ'
ମୁନି ଆଗମନେ ଉର୍ବଶୀ, ନୃତ୍ୟ କଲେ ସ୍ଥଗିତ,
ଆସନ କରିଲେ ଗ୍ରହଣ, ତହୁଁ ବ୍ରହ୍ମାଙ୍କ ସୁତ
ବୃହଷ୍ପତି ପାଦ ପୂଜନ୍ତେ ମୁନିଶ୍ରେଷ୍ଠ ନାରଦ,
ଜିଜ୍ଞାସା କଲେ ଦେବଗୁରୁ 'କୁହ ମର୍ତ୍ତ୍ୟ ସମ୍ବାଦ'
ଶୁଣି ଏ ଜିଜ୍ଞାସା ବିମର୍ଷ ହେଲେ ନାରଦ ଋଷି,
ମୁଖ ପ୍ରସନ୍ନ-ଜହ୍ନ ଦେଲା , ବିଷର୍ଣ୍ଣ ରାହୁ ଗ୍ରାସି
ନାରଦଙ୍କ ମୁଖ ମଳିନ,ସ୍ତବ୍ଧ ତ୍ରିଦିବ ରାୟେ ,
ଦେବସଭା ହେଲା ନିଶବ୍ଦ କେଉଁ ଅଜଣା ଭୟେ
କହିଲେ ନାରଦ "ଶୁଣିମା ହେଉ ଭୋ ଦେବଗଣ
ଦାନବରାଜ ବୃଷପର୍ବା, କରି ଅଛନ୍ତି ପଣ
ଘେନିଣ ବିଶାଳ ବାହିନୀ,ସ୍ୱର୍ଗ ବିଧ୍ୱସ୍ତ କରି,
ବନ୍ଦୀ କରି ସର୍ବ ଦେବତା ହରିବେ ଇନ୍ଦ୍ରଶିରୀ
ଦାନବ-ଗୁରୁ ଶୁକ୍ରାଚାର୍ଯ୍ୟ, ଦେଇଛନ୍ତି ବଚନ,
ସଂଗ୍ରାମେ ନିହତ ଦାନବେ ଦେବେ ନୂତନ ଜନ୍ମ
ମୃତ୍ୟୁ ସଂଜୀବନୀ ଶକ୍ତିରେ ଅଜେୟ ରକ୍ଷରାଜ,&
ସହଜେ ସଂଗ୍ରାମ କୌଶଳେ ଶ୍ରେଷ୍ଠ ଶ୍ରୀଶୁକ୍ରାଚାର୍ଯ୍ୟ
ଏଥକୁ ଉପାୟ କି ଅଛି,ପୁଛନ୍ତେ ମଘବାନ,
ମଉନ ହୋଇ ବୃହଷ୍ପତି, ପୋତି ଦେଲେ ବଦନ
କହନ୍ତି ନାରଦ "ଉପାୟ ଏକ ଅଛି ହେ ଦେବେ
ମହାମନ୍ତ୍ର ସଂଜିବନୀକୁ କେହି ଶିଖିବ ଯେବେ
ଦେବ ଦାନବଙ୍କ ଶକ୍ତିର ଘୁଞ୍ଚିବ ବିସମତା,
ଦୈବତାନି ସେନା ମଧ୍ୟରେ,ନଥିବ ମୃତ୍ୟୁ ଚିନ୍ତା
ଶୂଳପାଣି ତୋଷକରିବା ନୁହେଁ ସାଧ୍ୟ ଆମ୍ଭର,
ଶୁକ୍ରାଚାର୍ଯ୍ୟଠାରୁ ମିଳିବ କେବଳ ସେ ମନ୍ତର
ହୋଇ ଶୁକ୍ର ଶିଷ୍ୟ, ଆୟତ୍ତ କରି ସେ ମହାମନ୍ତ୍ର,
ଆଣି ପାରିଲେ ଦେବଲୋକେ, ଦୁଃଖ ହେବ ସମାପ୍ତ
ଅଟେ ଏହା ବଡ ଦୁରୁହ କାର୍ଯ୍ୟ ହେ ଦେବରାଜ
ସର୍ପ ବିଳେ ହସ୍ତ ଭରିଲେ ମୃତ୍ୟୁ ନିଶ୍ଚିତ ଧାର୍ଯ୍ୟ
ଦାନବ ରାଜ୍ୟରେ ଗୁରୁଙ୍କ ପାଶେ ଶିକ୍ଷା ଗ୍ରହଣ,
କରିବାକୁ ଗଲେ, ଦାନବେ ସତେ ରଖିବେ ପ୍ରାଣ
କୁହ କେ ଦେବତା, ରାକ୍ଷସ ଦେଶେ ବିଦ୍ୟା ଲଭିବ
ହଳାହଳ ଭକ୍ଷି ଦେବଙ୍କ ଦୁଃଖ ଦୂର କରିବ
ଉଭାହେଲା ଦେବ ସଭାରେ ଏକ ସୌମ୍ଯ ଯୁବକ,
ତେଜୋଦୀପ୍ତ ମୁଖ ମଣ୍ଡଳ,ଦେହେ ବସ୍ତ୍ର ଗୈରିକ
ଜାଜ୍ଜ୍ୱଲ୍ୟମାନ ଜ୍ଞାନଦୀପ୍ତ ବେନି ଚକ୍ଷୁ ତାହାର,
କନ୍ଧେ ଉପବିତ,ବଳିଷ୍ଠ ଭୁଜ,ଗ୍ରୀବା ସୁନ୍ଦର
ବକ୍ଷରେ, ବାହୁରେ,କପାଳେ,ଶୋଭେ ଚନ୍ଦନ ପାଟୀ,
ହସ୍ତେ ବେଦପୋଥି,ଓଷ୍ଠରେ ହସ ଯାଏ ଉକୁଟି
କରି ଯଥାମାନ୍ୟ ପ୍ରଣାମ,କହେ ସୌମ୍ଯବଦନ,
"ନାମ ମୋର କଚ,ଅଟେ ମୁଁ ବୃହଷ୍ପତି ନନ୍ଦନ
ଦେବଭୂମି ପାଇଁ ଦେବାକୁ ପ୍ରାଣ ନାହିଁ ମୋ ଡର,
ଯିବି ଶୁକ୍ରାଚାର୍ଯ୍ୟ ଆଶ୍ରମେ ,ଏହି ପ୍ରାର୍ଥନା ମୋର
ଭୟ ଏକ କୀଟ ମନର,ତାକୁ ଦେଲେ ଆଶ୍ରୟ,
କାଳସର୍ପ ଦିନେ ହୋଇ ସେ କରେ ଜୀବନ କ୍ଷୟ
ଅସମ୍ଭବ ନାହିଁ ସଂସାରେ,ଥିଲେ ସଂକଳ୍ପ ଦୃଢ,
ପଙ୍ଗୁ ଲଂଘେ ଗିରି, ପଣ୍ଡିତ ହୁଏ ଆଜନ୍ମ ମୂଢ
ହିମାଦ୍ରି ହୁଏ ତୁଚ୍ଛ ତୁଳା,ସର୍ପଗରଳ ପାଣି,
ସ୍ଥିତପ୍ରଜ୍ଞ ଲଂଘେ ଅଚିରେ ଲକ୍ଷେ ପର୍ବତ ଶ୍ରେଣୀ
ଜୀବନେ ଅଛି ମୋ ସ୍ୱପନ, ହେବି ଶୁକ୍ରଙ୍କ ଛାତ୍ର,
ପୂଜାକଲେ ତାଙ୍କ ଚରଣ ଜନ୍ମ ହେବ ପବିତ୍ର
ଶୁଣିଛି ବିଶାଳ ହୃଦୟ ଅଟେ ଆଚାର୍ଯ୍ୟଙ୍କର ,
ଜ୍ଞାନ ପିପାସୁ ନଦୀପାଇଁ ,ସେ ଯେ ମହାସାଗର
ଜ୍ଞାନ ଦାନରେ ସେ କରନ୍ତି ନାହିଁ କେବେ କାର୍ପଣ୍ୟ,
ପରିଚୟ ମୋର ଦେବି, ମୁଁ ବୃହଷ୍ପତି ନନ୍ଦନ
ମାତୃଭୂମି ପାଇଁ ତେଜିଲେ ପ୍ରାଣ ଜୀବନ ସାର୍ଥ,
ସୁବର୍ଣ୍ଣ ସୁଯୋଗୁଁ ତାତ ହେ ! କର ନାହିଁ ବଂଚିତ
'ସାଧୁ ପୁତ୍ର ସାଧୁ' ବୋଇଲେ ବୃହଷ୍ପତି ସାନନ୍ଦେ,
କୋଳାଗ୍ରତ କଲେ କଚକୁ, ଇନ୍ଦ୍ର ପରମାନନ୍ଦେ
ନେଇ ଆଶୀର୍ବାଦ ଚଳିଲା, ଦାନବ ଦେଶେ କଚ,
ସ୍ଥିତପ୍ରଜ୍ଞ ହେଲା ହୃଦୟ , ମାର୍ଗ ଦିଶିଲା ସ୍ୱଚ୍ଛ
