STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଦେବଯାନୀ (ଚତୁର୍ଥ କଳିକା)

ଦେବଯାନୀ (ଚତୁର୍ଥ କଳିକା)

2 mins
163

ଶୁଣି ଦେବଯାନୀ ପିତାଙ୍କ ବାଣୀ, ବୋଲନ୍ତି ଧୀରେ,

"ଏହି କି କାରଣ ତୁମ୍ଭର, ସ୍ୱର୍ଗ ତ୍ୟାଗ ପଛରେ

ସାମାନ୍ୟ 'ଗୁରୁ ପଦ' ପାଇଁ ସରୁ କଲ ବିଚାର ,

ଗରୁ ହେଲା ଅଭିମାନ କି ଜ୍ଞାନ-ଗୁଣ ସାଗର

ଏ ତ ନୁହେଁ ଜ୍ଞାନ-ଗୁରୁଙ୍କ ଗୁଣ ଭୃଗୁ ତନୟ ,

ବଖାଣି ବାସ୍ତବ କାରଣ ଦୂରକର ସଂଶୟ " 


ବୋଲନ୍ତି ଆଚାର୍ଯ୍ୟ ' ଅଛି ମା' ବହୁ ଗହନ କଥା,

ଶୁଣି ଦେବଯାନୀ ମନରେ ତୋର ବଢିବ ବ୍ୟଥା

ତଥାପି କହୁଛି ବିସ୍ତାରି ହେଉ ସଂଶୟ ଦୂର,

ଯେଉଁ କାରଣେ ମୋ ଦେବଙ୍କ ସଙ୍ଗେ ବଢିଲା ବୈର


ଲାଗିଲା ଏକଦା ସଂଗ୍ରାମ ଦେବ ଦାନବ ମଧ୍ୟେ,

କମ୍ପମାନ ହେଲା ତ୍ରିପୁର ଉଭୟଙ୍କ ଆୟୁଧେ

ଦେବଙ୍କ ଗୁରୁ ବୃହଷ୍ପତି, ମୁହିଁ ଦାନବ ଗୁରୁ ,

ଦାନବ ବାହିନୀ ଦେବଙ୍କ ପରେ ହୋଇଲେ ଗରୁ

ମୋର ଯୁଦ୍ଧବିଦ୍ୟା ବଳରେ ରାକ୍ଷସେ ବଳବନ୍ତ, 

ସଂଗ୍ରାମେ ହାରିଣ ଦେବତା,ହେଲେ ଭୀଷଣ ତ୍ରସ୍ତ

କରିବାକୁ ରକ୍ଷବାହିନୀ ସଂଗ୍ରାମରେ ଅଜେୟ,

'ମୃତ୍ୟୁ ସଞ୍ଜୀବନୀ' ଲଭିବା ପାଇଁ କଲି ନିଶ୍ଚୟ

ଯେତେ ବା ମରିବେ ଦାନବେ ,ହେବେ ଜୀବିତ ସର୍ବେ, 

ତେଣୁ ମାରିବେ ଦେବତାଙ୍କୁ, ଛାତି ଫୁଲାଇ ଗର୍ବେ

ପ୍ରବଳ ହୋଇବେ ଦାନବ ବଳ ନଥିବ ଡର,

ତେଣେ ଦେବତାଙ୍କ ଆସନ ହୋଇବ ଥରହର

ଏମନ୍ତ ବିଚାରି ଚଳିଲି ହିମାଳୟ କନ୍ଦରେ, 

ଲଭିବା ପାଇଁ ସଂଜୀବନୀ ମନ୍ତ୍ର ତୋଷି ଶଙ୍କରେ

ସମର୍ପି ଆଶ୍ରମ ଦାୟିତ୍ବ, 'କାବ୍ୟା' ଜନନୀ ହସ୍ତେ,

ଘୋର ତପେ ହେଲି ମଗନ ହିମାଳୟ ପର୍ବତେ  


ପାଇ ଏ ସମ୍ବାଦ ଆସିଲେ ମାଡି ଦେବ-ବାହିନୀ,

କରିଲେ ଆଶ୍ରମ ବିଧ୍ୱସ୍ତ, ମୁହିଁ ନଥିବା ଜାଣି

ଇନ୍ଦ୍ର ବଜ୍ରାଘାତେ ଦାନବେ, ଗଲେ ଯମ ଭୁବନେ,

କୁଢ କୁଢ ଶବ ପଡିଲା, ଆଶ୍ରମର ପ୍ରାଙ୍ଗଣେ

ଶତଶତ ଶବ ଗନ୍ଧରେ କଳୁଷିତ ପବନ,

ଦିବସେ ନିର୍ଭୟେ କରିଲେ ଶ୍ୱାନ ଶିବା ନର୍ତ୍ତନ

ଦେଖି ଧ୍ୱଂସଲୀଳା, ଜନନୀ 'କାବ୍ୟା' ତପୋବଳରେ,

ଜୀବିତ କରନ୍ତେ ଦାନବେ ,ଦେବେ ଅବିବେକରେ,

ଏକତ୍ର ହୋଇ ସର୍ବ ଦେବ କରି ଶସ୍ତ୍ର ପ୍ରହାର,

ହତ୍ୟାକଲେ କାବ୍ୟା ମାତାଙ୍କୁ ହୀନ ପଶୁ ପ୍ରକାର

ସେ ସମୟେ ଆଶୁତୋଷଙ୍କୁ ତୋଷି ପାଇଲି ବର,

ଫେରିଲି ଆଶ୍ରମେ ପାଇ ମୁଁ ସଂଜୀବନୀ ମନ୍ତର

ଜୀବିତ କରିଲି ମାତାଙ୍କୁ ପୁଣି ମୃତ ରାକ୍ଷସେ,

ପଳାୟନ କଲେ ଦେବତା ମୋର ଆଗମ ତ୍ରାସେ

ନାରୀହନ୍ତା ଏହି ଦେବଙ୍କୁ କ୍ଷମା ଦିଅନ୍ତି କେହ୍ନେ

କହ ମା'ଦେବଯାନୀ କହ ଚିନ୍ତା କରି ତୁ ମନେ


ସେହିଦିନୁ ହେଲେ ଦେବତା ମୋର ଚିର ବଇରୀ, 

ରହିଛି ଦାନବ ସାମ୍ରାଜ୍ୟେ ହୋଇ ଗୁରୁ ତାଙ୍କରି

ମୋ'ବାହୁ ଛାୟାରେ ଦାନବ ବଳ ଚିର ଅଜେୟ,

ବୃଷପର୍ବା ରାଜଧାନୀକୁ ଯମ କରନ୍ତି ଭୟ

ପଡିଛି ବିନିଦ୍ର ଭାଳେଣି ଦେବତା ମହଲରେ,

ମୃତ୍ୟୁ ସଞ୍ଜୀବନୀ ମନ୍ତର କେହ୍ନେ ପାଇନ୍ତେ ଥରେ "


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract