STORYMIRROR

Kulamani Sarangi

Classics

3  

Kulamani Sarangi

Classics

ଦେବଯାନୀ-ବିଂଶତମ କଳିକା

ଦେବଯାନୀ-ବିଂଶତମ କଳିକା

2 mins
263


ପାଇ ବୃଷପର୍ବାଙ୍କ ନିମନ୍ତ୍ରଣ,

ଆନନ୍ଦିତ ହେଲେ ଭୃଗୁ ନନ୍ଦନ।*

କନ୍ୟାକୁ ବୋଲନ୍ତି "ନ କର ହେଳା, 

ପ୍ରାସାଦରୁ ଆସିଲାଣି ହାନ୍ଦୋଳା।

ଶୀଘ୍ର ପ୍ରସ୍ତୁତ ହୁଅ ଦେବଯାନୀ,

ଡାକିବାକୁ ଆସିଛି ତୋ ସଜନୀ।

ଆସିଅଛି ଉପଢୌକନ ନେଇ,

ରାଜନନ୍ଦିନୀ ଶର୍ମିଷ୍ଠା ତୋପାଇଁ।

ପାଳୁଛନ୍ତି ମୋର ଜନ୍ମଦିବସ, 

ନିଜ ରାଜଧାନୀରେ ଦାନବେଶ।

ଦେଇ କଚକୁ ଆଶ୍ରମର ଭାର,

ଚାଲ ଯିବା ଦାନବେନ୍ଦ୍ରଙ୍କ ପୁର।

ପ୍ରିୟ ସହୀ ରାଜସୁତା ସଙ୍ଗରେ,

ତୋର ହୋଇବ ଆଳାପ ପଥରେ।

ବହୁ ଦିନରୁ କରିଥିଲୁ ଇଚ୍ଛା,

ଆଜି ପୂରିବ ତୋର ମନୋବାଞ୍ଛା।"


ଶୁଣି ବୋଲନ୍ତି ଦେବଯାନୀ ଗିର,

"ଏକା ଛାଡିବାକୁ କଚ'କୁ ଡର।

ବଡ ଅଟନ୍ତି ମାୟାବୀ ଦାନବେ,

ଦେବପୁତ୍ରଙ୍କୁ ବିନାଶ କରିବେ।

କାଳ ବଡ ଅବିଶ୍ୱାସୀ ତାତ ହେ!

କାହୁଁ ଆସିଯାଏ ଅକସ୍ମାତ ହେ !

ଦୁଇ ଥର, କଚ ଯମ ପୁରରୁ ,

ଫେରି ଆସିଛନ୍ତି ତୁମ୍ଭ ଦୟାରୁ।

ପାଶେ ଥାଉଁ ଥାଉଁ ହୁଏ ଏମନ୍ତ, 

ଦୂରେ ରହି ହୋଇବି କି ନିଶ୍ଚିନ୍ତ ?

ମୁହିଁ ରହୁଛି ଦେବ ପୁତ୍ର ସଙ୍ଗେ,

ତୁମ୍ଭେ ଯାଅ ମହୋତ୍ସବ ପ୍ରସଙ୍ଗେ" ।


ଶୁଣି କଚ ବୋଲନ୍ତି "ଗୁରୁପୁତ୍ରୀ !

ମନେ ଆଣୁଛ ଅଯଥା ବିଭ୍ରାନ୍ତି ।

ତୁମ୍ଭ ବିଚାରେ କି ମୁହିଁ ବାଳକ ?,

ବିଚରା ମୁଁ, ତୁମ୍ଭେ ପଥ ଚାଳକ !!

ମୋତେ ଦେଇ ଆଶ୍ରମର ଦାୟ ହେ,

ଗୁରୁପୁତ୍ରୀ ନିଶ୍ଚିନ୍ତରେ ଯାଅ ହେ।

ଛାର ଦାନବଙ୍କୁ ନାହିଁ ମୋ ଡର,

ମୃତ୍ୟୁ ହେଲେ ଅଛନ୍ତି ଗୁରୁବର।

ସଞ୍ଜୀବନୀ ମନ୍ତ୍ରେ ଦେବେ ଜୀବନ,

ତାଙ୍କ ଅନୁକମ୍ପାର ମୁଁ ଅଧୀନ।

ଛାର ମୃତ୍ୟୁକୁ ଡରି ପ୍ରତିକ୍ଷଣ, 

ଯେଣୁ ରହେ ଜୀବନ୍ମୃତ ସେ ଜାଣ।"

କହି ଏମନ୍ତ କଚ ପ୍ରଣମିଲେ,

ଆଶୀର୍ବାଦ ଦେଇ ଗୁରୁ ଚଳିଲେ।

ରାଜପୁରେ ଚଳିଲେ ମହାମୁନି,

ସଙ୍ଗେ ଥିଲେ ଶର୍ମିଷ୍ଠା,ଦେବଯାନୀ।


ମହୋତ୍ସବ ଲାଗିଛି ନବରରେ, 

ଗୁରୁ ପୂଜନ ହୁଏ ପୁରେ ପୁରେ।

ଦେଖି ପୂଜ୍ୟ ଗୁରୁଙ୍କ ଆଗମନ,

ବୃଷପର୍ବା ସ୍ପର୍ଶ କଲେ ଚରଣ।

ଗଳେ ଲମ୍ବାଇ ଦେଲେ ପୁଷ୍ପମାଳା,

ଆନନ୍ଦେ କଲେ ରକ୍ଷେ କିଳିକିଳା।

ବିଧିମତେ କରି ଗୁରୁ ପୂଜନ, 

ସୁରା ପରଷିଲେ ନିଜେ ରାଜନ।

ସବିନୟେ ଶୁକ୍ରାଚାର୍ଯ୍ୟ ବୋଲନ୍ତି,

" ସୁରା ବ୍ରାହ୍ମଣେ ପାନ ନକରନ୍ତି।

ଏହା ଶାସ୍ତ୍ରରେ ହୋଇଛି ନିବାର୍ଯ୍ୟ,

କିପାଁ କରୁଛ ରାଜେ ଏହି କାର୍ଯ୍ୟ? 


ହୋଇ ଅନୁନୟ ରାକ୍ଷସ ସାଇଁ, 

ବୋଇଲେ 'ଘେନ ଦିନଟିଏ ପାଇଁ ।

ଏହା ଆମ୍ଭ ଭାବନାର ପ୍ରତୀକ,

ଗୃହ-ପ୍ରସ୍ତୁତ ଅଟେ ଏ ଚଷକ ।#

ମହାରାଣୀଙ୍କ ହସ୍ତେ ଏ ପ୍ରସ୍ତୁତ, 

ନିଜେ ଭରିଛନ୍ତି ସେ ସୁରାପାତ୍ର।

ନ'ଘେନିଲେ ମନେ ଦୁଃଖ ବହିବେ, 

ବେନି ନେତ୍ରୁ ଲୋତକ ଝରାଇବେ।


ବହୁ ବିନୟ ହୁଅନ୍ତେ ରାଜନ,

କଲେ ଶୁକ୍ରଦେବ ସୁରା ଗ୍ରହଣ।

କଚ ଚିତାଭସ୍ମ ସେହି ସୁରାରେ, 

ମିଶିଥିଲା ଗୁରୁଙ୍କ ଅଜ୍ଞାତରେ।

କଚ ଭସ୍ମ ହୋଇ ସୁରା ସହିତ,

ହେଲେ ଗୁରୁଦେବଙ୍କ ଉଦରସ୍ଥ ।


ସଂଧ୍ୟା ହୁଅନ୍ତେ ଶୁକ୍ର ମହାମୁନୀ,

ଗୃହେ ଫେରିଲେ ,ସଙ୍ଗେ ଦେବଯାନୀ।

ଆଶ୍ରମରେ ପଡିଛି ହାହାକାର,

ନିରୁଦ୍ଦିଷ୍ଟ ବୃହସ୍ପତି କୁମର।

ଧ୍ୟାନମଗ୍ନ ହେଲେ ଭୃଗୁ ନନ୍ଦନ,

ଜ୍ଞାତହେଲେ ଘଟିଛି ଅଘଟଣ।

ବୋଇଲେ 'ଶୁଣ ସୁତା ଦେବଯାନୀ, 

କଚ ପୁଣି ଯମାଳୟ ଗଲାଣି।

ସୁରା ସହିତେ ଉଦରେ ମୋହର,

ଚିତାଭସ୍ମ ରୂପେ ଅଛି କୁମାର।'

କ୍ରମଶଃ--------------


* ଭୃଗୁ ନନ୍ଦନ:---ଶୁକ୍ରାଚାର୍ଯ୍ୟ

#ଚଷକ:---ସୁରା/ମଦ୍ୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics