STORYMIRROR

Kulamani Sarangi

Abstract

2  

Kulamani Sarangi

Abstract

ଦେବଯାନୀ(ଅଷ୍ଟାଦଶ କଳିକା)

ଦେବଯାନୀ(ଅଷ୍ଟାଦଶ କଳିକା)

1 min
133

ଦେବଯାନୀ 

ଅଷ୍ଟାଦଶ କଳିକା


କଚ'ଦେବ ମୃତ୍ୟୁ ବାର୍ତ୍ତା ପିତା ମୁଖୁ ଶୁଣି,

ମୂର୍ଚ୍ଛିତ ହୋଇ ଧରାରେ ପଡି ଦେବଯାନୀ, 

ଉଚ୍ଚେ କରନ୍ତି କାରୁଣ୍ୟ,

"କାହିଁ ଅଛ ଦେବପୁତ୍ର ଦିଅ ଦରଶନ


ଦାନବଙ୍କ ମତିଗତି ଦେଖି କଲି ଶଙ୍କା,

ନିବାରିଲି ବହୁବାର ଯିବାପାଇଁ ଏକା,

ଆଉ ପାଇବି'କି ଦେଖା,

ନିରାଶା ଜଳରେ ବୁଡିଯାଏ ହୃଦ ନୌକା


ଶରୀରକୁ ଭସ୍ମକରି, ଜାହ୍ନବୀ ଜଳରେ,

ବିସର୍ଜନ କରିଛନ୍ତି ଦାନବ ପାମରେ, 

ସତେ ଜନକ ମୋହର,

ସଂଜୀବନୀ ମନ୍ତ୍ରେ ଜୀବ ଦେବେ ପୁନର୍ବାର


ନୟନ ସମୀପୁଁ କେବେ କରିନାହିଁ ଦୂର,

ବିପଦ ସଂକୁଳ ବୋଲି ଜୀବନ ତୁମ୍ଭର ,

କ୍ଷଣେ ଆନମନା ହୋଇ,

ଚିରକାଳ ତୁମ ସଙ୍ଗ ଦେଲି ଯା' ହରାଇ


କେତେ ପ୍ରଶଂସା କରନ୍ତି ତୁମ୍ଭଙ୍କୁ ଆଚାର୍ଯ୍ୟ, 

ଶୁଣି ଈର୍ଷା କରିଲେ କି ସତେ ଯମରାଜ,

ନେଲେ ଅକାଳରେ ଡାକି,

ହେ ଶମନ ! ମୋ ଜୀବନ ରଖିଛ କାହିଁକି


ଦେବଯାନୀ ଦୁଃଖେ ଦୁଃଖୀ ଆଶ୍ରମ ନିବାସୀ,

ପଶୁ,ପକ୍ଷୀ,ବୃକ୍ଷ,ଲତା,ଯେତେ ଅନ୍ତେବାସୀ,

ସର୍ବେ କାନ୍ଦନ୍ତି ବାହୁନି,

ଦେଖି ବିଚଳିତ ଚିତ୍ତ ହେଲେ ଶୁକ୍ରମୁନି


ବୋଇଲେ "ପୁତ୍ରୀ ନୁହଇ ଏ ଅଧୈର୍ଯ୍ୟ ବେଳ,

ଚାଲ ଯିବା ଯେଉଁଠାରେ ରାକ୍ଷସ ସକଳ,

ଭସ୍ମକରି ଦେବପୁତ୍ରେ,

ଫିଙ୍ଗିଅଛନ୍ତି ପାଉଁଶ ଗଙ୍ଗାନଦୀ ଗାତ୍ରେ


ଭସ୍ମ ଅବଶେଷ ଯେବେ ଥିବ କିଛି ରହି,

ଅଣୁ ପ୍ରମାଣ ହେଲେ ବି କଚ ଯିବ ଜୀଇଁ 

ମୃତ୍ୟୁ ସଂଜୀବନୀ ମନ୍ତ୍ରେ,

ପାରିବି ଜୀବନ ଦେଇ ବୃହସ୍ପତି ପୁତ୍ରେ


ଆଗେ ଆଗେ ଶୁକ୍ରମୁନି ପଛେ ମୁନିସୁତା

ପହଞ୍ଚିଲେ ଯହିଁ ଜଳିଥିଲା କଚ ଚିତା,

ଦେଖି ଭସ୍ମ ଅବଶେଷ,

ମୃତ୍ୟୁ ସଂଜୀବନୀ ମନ୍ତ୍ର ପଢିଲେ ମୁନୀଶ


ଆବାହନ କରୁଁ, କଚ ଉଭାହେଲା ଆସି,

ଚକ୍ରବାଳେ ଉଇଁଲେ'କି ପୂର୍ଣ୍ଣମାସୀ ଶଶି,

ଆହ୍ଲାଦିନୀ ଦେବଯାନୀ,

ଅନ୍ତେବାସୀଙ୍କ ଆନନ୍ଦ କେ ପାରିବ ଭଣି


କଚ ପୁନର୍ଜନ୍ମ ବାର୍ତ୍ତା ବନଅଗ୍ନିପରି,

ଯାଆନ୍ତେ ପ୍ରସରି;ଶୁଣି ରକ୍ଷ-ଦଣ୍ଡଧାରୀ,

କ୍ରୋଧେ କମ୍ପିଲେ ପ୍ରଚଣ୍ଡ, 

ବୋଇଲେ "ପୁନଶ୍ଚ ବର୍ତ୍ତିଗଲା ଦୁଷ୍ଟ ଭଣ୍ଡ


ପାତ୍ର,ମନ୍ତ୍ରୀ, ମିତ୍ର ଘେନି କରନ୍ତି ମନ୍ତ୍ରଣା,

ଅମାତ୍ୟ ବୋଲନ୍ତି "ପ୍ରଭୁ ଅଛି ମୋତେ ଜଣା,

ଯେଉଁ ପ୍ରକାରେ ସେ ମରୁ,

ଜୀବନ୍ୟାସ ଦେବେ ତାକୁ ପ୍ରତିଥର ଗୁରୁ


ଯେଉଁ ଉପାୟରେ କଚ ନଫେରିବ ଜୀବେ, 

ଗୋପନେ କହୁଛି ,ପ୍ରଭୁ ପାଳନ କରିବେ,

କହୁଁ କର୍ଣ୍ଣେ ଗୋପନରେ ,

ହସ ଉକୁଟିଲା ବୃଷପର୍ବାଙ୍କ ଓଷ୍ଠରେ


କ୍ରମଶଃ: ----


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract