STORYMIRROR

Upendra prasad Mahala

Romance Classics Inspirational

3  

Upendra prasad Mahala

Romance Classics Inspirational

ଦେବଗିରିରେ ମେଘମାଳା

ଦେବଗିରିରେ ମେଘମାଳା

2 mins
272


ମୌସୁମୀ ଆସିଲେ ଆକାଶରେ
ଭାସି ଆସେ ମେଘମାଳା
ପ୍ରଥମେ ଛୁଏଁ ଦେବଗିରି ଶିଖର
ଟପଟପ ଝରିପଡେ ବର୍ଷାବିନ୍ଦୁ।
ନିର୍ବାସନ ଦଣ୍ଡ ଭୋଗୁଥିବା ଯକ୍ଷ
ଆଖିରେ ଭରିଯାଏ ଅସରା ଲୁହ
ମେଘକୁ ବୁଝାଇ ମିନତି କରେ
ଦୂର ଗାଁରେ ବାଟ ଚାହିଁ ବସିଥିବା
ବିରହିଣୀ ପ୍ରେମିକା ପତ୍ନୀ ପାଖକୁ
ନେଇଯିବାକୁ ପ୍ରେମର ସନ୍ଦେଶ ।


ଯକ୍ଷ ଦେଖେ ମେଘରେ ପ୍ରକୃତିର
ଆତ୍ମା, ମନଖୋଲି ସବୁ କଥା କହେ
ଦୂତ ସାଜି ବାର୍ତ୍ତା ନେଇ ମେଘ
ଭାସିଯାଏ ପ୍ରିୟତମାର ଗାଁ ଆଡେ।


ବିତିଗଲାଣି କେତେ ଯୁଗ
ଜିଇ ରହିଛି ମେଘ ଦୂତର ଗାଥା,
ସାକ୍ଷୀ ରହିଛି ପ୍ରେମ ବିରହର
ଦରଦୀ ରମ୍ୟ ଦେବଗିରି ।


ଆଜି ବି ମୌସୁମୀ ଛୁଇଁଲେ
ଭାସିଉଠେ ପଥର ଦେହରୁ
ଐତିହ୍ୟ, ସଂସ୍କୃତିର ମହକ ।
ମେଘମାଳା ଘସି ହେଲେ ବର୍ଷା
ଝରି ଝରଣା, ଗୁମ୍ଫା, ଶିଳାରେ ଚିତ୍ରିତ
ଐଶ୍ବରିକ ସୌନ୍ଦର୍ଯ୍ୟକୁ ଭିଜାଏ।
ବିସ୍ମୃତ ପରିଚୟ ଖୋଜେ ଦେବଗିରି
କେହି ବୁଝନ୍ତିନି ତା' ମନ କଥା !!
କେଉଁ କାଳରୁ ଓଡ଼ିଶାର ଶୋଭା
ବଢାଉଛି ପୂର୍ବଘାଟ ପର୍ବତମାଳାର
ସୁଉଚ୍ଚ ମନୋରମ ଦେବଗିରି ।
କୋଳରେ ସାଇତି ରଖିଛି ଅନେକ
ଅକୁହା କଥା, ପୈାରାଣିକ ଗାଥା।
ବେଢି ରହିଛି ନୀଳ ଉପତ୍ୟକା,
ନାଗାବଳୀ ଅବବାହିକା, ମାଳ ଭୂଇଁ,
ରାୟଗଡା ଜିଲାର ଉପାନ୍ତ
ଆଦିବାସୀ ଗାଁଗଣ୍ଡା ।
ନିତିଦିନ ଝଲସୁଛି ରମଣୀୟ
ସୂର୍ଯାସ୍ତ ଓ ସୂର୍ଯୋଦୟ ଛବି ।
ଆଦିବାସୀ ରମଣୀ ଗଭାରେ
ବଣୁଆ ଫୁଲ, କସିଡାଳ ଖୋସି
ମାଦଳ ଧୂନରେ ନାଚୁଛି।


ଓଡ଼ିଶାରେ ରହିଛି କାଳିଦାସପୁର
ନାମିତ ଅନେକ ଜନପଦ,
ନୈସର୍ଗିକ ଶୋଭାମୟୀ ଦେବଗିରି
ହଜିଯାଇଛି "ମେଘଦୂତମ" ରଚୟିତା
କାଳି ଦାସଙ୍କ ସ୍ମୃତିର ଗାଥା।
ଚର୍ଚ୍ଚାରେ ଔରଂଗାବାଦ "ଦେବଗିରି"।


ରାୟଗଡାଠାରୁ ପଚାଶ କି.ମି.
ଗଲେ ଅନିନ୍ଦ୍ୟ ଦେବଗିରି ପଡେ
ଉଚ୍ଚତା ତିନିଶ ପଞ୍ଚାନବେ ଫୁଟ ।
ପବିତ୍ର ଶିଖରରେ ପଞ୍ଚମୁଖୀ ଶିବ,
ଗୁମ୍ଫାରେ ଶତାଧିକ ଶିବଲିଂଗ ।
ସାଂସ୍କୃତିକ ବିଭବ ମଧ୍ୟରେ
ଲୁଚି ରହିଛି ବିସ୍ମୃତ ପରିଚୟ
ନିଦା ପଥର ଛାତି ଭିତରେ ।
ବିତିଲା ଦିନକୁ ଝୁରୁଛି ଦେବଗିରି,
ଝୁରୁଛି ମୌସୁମୀ ମେଘମାଳା ।

*******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance