STORYMIRROR

ବି. ନିରୁପମା

Romance Others

4  

ବି. ନିରୁପମା

Romance Others

ଡାକ ଦେଲେ ଜଣେ ଏଠି

ଡାକ ଦେଲେ ଜଣେ ଏଠି

1 min
389


କିଛି ଦିନ ତଳେ ଆସୁଥିଲି ଯେବେ

ତୁମ ଗାଆଁ ବାଟ ଦେଇ,

ପ୍ରତିଯୋଗୀ ସାଜି ସାଥୀଙ୍କ ଗହଣେ

ତୋଳୁଥିଲ ସଜ କଇଁ ।


ହାସ ପରିହାସେ ଉଛୁଳୁ ଥିଲା ସେ

ଗାଧୁଆ ପୋଖରୀ ତୁଠ,

" ସେତିକି ଥାଉ ବା, ଏଥରକ ଆ.. ଆ"

ଲଳିତା ନାନୀ ଆକଟ ।


ଶୁଣି ଅନେଇଲି- ଓଦା କେଶ ଛାଟି

ଲେଉଟି ଚାହିଁଲ ଯେବେ,

"ଆଉ ତୁ କମ୍ପାନା ଯାଉଛି ଲୋ ନାନୀ"

ଉତ୍ତରଟି ଦେଲ ତେବେ ।


ପିନ୍ଧିଥିଲ ଏକ ଝୀନ ବସନ ଯେ

ତନୁ ଦିଶୁଥିଲା ଫୁଟି,

ପାଖ ଗଛ ଡାଳୁ ହଳଦୀବସନ୍ତ 

ଡାକ ଦେଲେ-'ଜଣେ ଏଠି' ।


"କେତେ ତୁ ଫୁଲେଇ ହେଉ ଲୋ ଚଢ଼େଇ

ମୋତେ ଦେ ହଳଦୀ ଟିକେ,

ତୋ ପରିକା ମୁହିଁ ଗୋରୀ ହୋଇଯିବି

ଦେହରେ ସଅଳ ମାଖେ ।


ଆସିବ କେ ଯଦି ମନର ମଣିଷ

ଖୁଣି ପାରିବନି ଜମା,

ନେ କଇଁଫୁଲ ଗୋଟିଏ ଦେଉଛି

କରନା କରନା ମନା ।"


ଫୁରକିନା ଉଡ଼ି ଗଲା ସେ ଚଢ଼େଇ

ମୋ ପାଶେ ପଡ଼ିଲା କଇଁ,

ଘଡ଼ିଏ ଅଟକି ଦେଖୁଥିଲି ପରା 

ଗଛ ଆଢୁଆଳେ ଥାଇ ।


ଘରେ ଜଣାଇଲି, ପ୍ରସ୍ତାବ ସେ ଦେଲେ

କଳପନା ହେଲା ସତ,

ବର ବେଶେ ଯାଇ ବାଜା ରୋଷଣିରେ

ଧରିଲି ତୁମରି ହାତ ।


ବଧୂ ରୂପେ ତୁମେ ଆସିଲ ଘରକୁ

ଜୀବନସାଥୀ ମୋ ହୋଇ,

ଆଜି ଯାଏ ସବୁ ସୁଖରେ ଦୁଃଖରେ

ଅଛ ସାଥେ ସାଥେ ରହି ।


ପ୍ରେରଣା ଦାୟିନୀ ସାଜିଅଛ କେବେ-

କେବେ ଦେଖାଇଛ ଆଖି,

କଇଁ କୁମାରୀ ଗୋ ଖୋଲି କହିଦେଲି

ତୁମେ ମୋ ପରାଣ ସଖୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance