ଦାଦନ
ଦାଦନ


ଜୀବନରେ ବହୁ ମୂଲ୍ୟବାନ ଶ୍ରମ
କଠୋର ତ ହୋଇଥାଏ,
ମନଯୋଗ ଦେଇ ଶ୍ରମ କରିଗଲେ
ସଫଳତା ମିଳିଥାଏ |୧|
ଦୁନିଆଁ ବୁକୁରେ ପ୍ରଭୁଙ୍କ ଆଖିରେ
ଆମେ ତ ସବୁ ଶ୍ରମିକ,
ତାହାଙ୍କ ଦୃଷ୍ଟିରେ ସମସ୍ତ ମଣିଷ
ସଫଳତାର ପାହାଚ |୨|
ଶ୍ରମିକ ନିଜକୁ ପ୍ରମାଣିତ କରେ
ଦେଇକରି ଶ୍ରମଦାନ ,
ନିଜ ଅଜାଣତେ କିନ୍ତୁ କେତେବେଳେ
ବନିଯାଏ ସେ ଦାଦନ |୩|
ପେଟ ଖଣ୍ଡ ପାଇଁ ନିଜ ପରିବାର
କେବେ ବିକ୍ରି ହୋଇଯାଏ,
ଦାଦନ ଶ୍ରମିକ କିଛି ଟଙ୍କା ପାଇଁ
ଆପେ ଆପେ ବନିଯାଏ |୪|
ସୁନ୍ଦର ସଂସାର ପେଟ ପୋଷିବାକୁ
ଦୂର ଦେଶ ଚାଲିଯାଏ,
ମାଲିକ ତାଡ଼ନା ପୁଣି ତା କାମନା
ନିଆଁରେ ତ ଜଳିଯାଏ |୫|
ଦିନ ରାତି ଖାଲି ଶ୍ରମ ଆଉ ଶ୍ରମ
ଖାଇବାକୁ ମିଳେନାହିଁ,
ପଇସା ମାଗିଲେ ଗୋଇଠା ମିଳଇ
ଭାଗ୍ୟଟାକୁ ନିନ୍ଦୁଥାଇ |୬|
ହାୟ ଭଗବାନ, ଦେଲ ଯେବେ ମୋତେ
ସୁନ୍ଦର ମଣିଷ ଜନମ,
କୁହ କାହିଁପାଇଁ ଖାଇବାକୁ ଗଣ୍ଡେ
କରିଦେଲ ନାହିଁ କରମ |୭|
ହାତ ଆଙ୍ଗୁଠିକୁ କାଟି ବନ୍ଧା ରଖେ
କେବେ ପିଠିରେ ଚାବୁକ,
ପ୍ରତିବାଦ କଲେ ସ୍ତ୍ରୀର ଇଜ୍ଜତ
ଲୋଟିପଡ଼େ ସେହି ଦଣ୍ଡକ |୮|
ନରମ ହାତରେ କଲମ ଜାଗାରେ
ଧରାହୁଏ ଲୁହା ହାତୁଡ଼ି,
ନମାନିଲେ ସେହି ଦାଦନ ହାତରେ
ଧରାହୁଏ ଲମ୍ବା ଶିକୁଳି |୯|
ଘୃଣ୍ୟ ପରମ୍ପରା ସମାଜ ଦେହରୁ
କେବେ ପୁଣି ଚାଲିଯିବ,
ଦାଦନ ମୁହଁରେ ହସର ଫୁଆରା
ପୁଣି ଲେଉଟି ଆସିବ |୧୦|