ଦାଦନ
ଦାଦନ
ଭୋକ ଆଉ ଅସହାୟତା
ଭିତରେ ଆଉଟୁ ପାଉଟୁ ଜୀବନଟା
ଯେବେ ଚାରିଆଡ଼କୁ ଚାହିଁ
ନାଚାର ହୋଇପଡେ
ଅଭାବ ଅନଟନର କଳାବାଦଲ
ସାରା ପରିବାରକୁ ଘୋଡେଇ ରଖେ,
ନିଃସ୍ଵ ନିଃସହାୟ ମଣିଷଟା
ଦାରିଦ୍ର୍ୟର ଭରା ନଈରେ
ଥଳ କୂଳ ନ ପାଇ ବେସାହାରା ହୁଏ,
ଭିଟା ମାଟିର ମୋହକୁ ଛାଡି
ଅନ୍ୟ ରାଜ୍ୟକୁ ଗୋଡ଼ କାଢି
ଖଟିବାକୁ ଯାଏ
ସେ ହେଇଯାଏ ଦାଦନ ।
କିଏ ବୁଝେ ତାର କଥା
ବୁକୁ ତଳେ ସାଇତି ଥିବା
ଅକୁହା ବ୍ୟଥା..
ପଢି ପାରେ କି କେହି
ତା ମୁହଁରେ ଲେଖା ହୋଇଥିବା
ଦୁଃଖ ଯନ୍ତ୍ରଣା ର କାହାଣୀ
ଅନ୍ତ ର ଆର୍ତ୍ତ ନାଦ
ବିବଶତା ବିକ୍ଷୁବ୍ଧ ମନର ।
ମାଇଲ ମାଇଲ ଦୂରରେ
ଗାଆଁରେ ଛାଡି ଆସିଥିବା
ଆପଣା ଲୋକ ସବୁ
ବେଳ ଅବେଳରେ
ତା ମୁହୂର୍ତ୍ତମାନଙ୍କୁ କରନ୍ତି
ବିଷର୍ଣ୍ଣ, ଭାରାକ୍ରାନ୍ତ
ଲୁହ ଲହୁ ଏକ କରି
ବଞ୍ଚିବାକୁ ହୁଏ
ଅପରାଧୀଟେ ପରି ।
ଦାରିଦ୍ର୍ୟଟା ବଡ଼ ଭୟଙ୍କର
ଅସହିଷ୍ଣୁ ଅହଂକାରୀ
ଦୁଃଖର ପଞ୍ଝା ମେଲେଇ
କ୍ଷତାକ୍ତ କରେ ମଣିଷକୁ
ପ୍ରତି ମୁହୂର୍ତ୍ତରେ
ଚାହିଁଲେ ମରି ପାରେ ସହଜରେ
କିନ୍ତୁ ବଞ୍ଚିବା ତା ପାଇଁ
ଏକ ମସ୍ତ ବଡ ଚ୍ୟାଲେଞ୍ଜ ।
