ଚଉପଦୀ -ନ ଜାଣି ମୁଁ କଲି ପୀରତି
ଚଉପଦୀ -ନ ଜାଣି ମୁଁ କଲି ପୀରତି
କବି - ଦୀନବନ୍ଧୁ ରାଜା ହରିଚନ୍ଦନ
ନ ଜାଣି ମୁଁ କଲି ପୀରତି
କେ ଜାଣି ଥିଲା ଗୋ ଏହା ।
ଭଜିଲେ ତ ହେଲା ବିପତ୍ତି
ତେଜିଲେ ତ ନାହିଁ ମୋ ସାହା । ଘୋଷା ।
ସରଜି ନିଷେଧ ଗୀର
ତରଜିଲେ ସଖୀ ମୋର
ବରଜି ବୋଲି ତାଙ୍କର
ଅରଜିଲି ଏହା ଆହା । ୧ ।
ରସିଲା ଦିନୁ ମୋ ଚିତ୍ତ
ଭାଙ୍ଗିଲି ସତୀବରତ
ଖସିଲା ଧୈର୍ଯ୍ୟ ଜୀବିତ
ନାଶିଲା ମୋତେ ଉତ୍ସାହା । ୨ ।
କରିବାରୁ ପର ପ୍ରୀତି
ମରିବାର ଭଲ ଗତି
ସରିବା ନୋହେ ବିପତ୍ତି
ତରିବାକୁ ନାହିଁ ରାହା । ୩ ।
ନରମେ ଦିବସ ନିଶି’
ସରମେ ମୁଁ ଥିଲି ରସି
ଭରମେ ପଡ଼ିଲି ଆସି
କରମେ ମୋ ଥିଲା ଯାହା । ୪ ।
ସ୍ନେହରେ ଏ ପ୍ରୀତି ଭାବ
ଦେହରେ ଆଉ ନୋହିବ
ବହରେ ମୋ ଦୁଃଖ ଜବ
କହରେ ସଜନୀ ତାହା । ୫ ।
ଭୁଲି ତ ଗଲା ମୋ ମତି
ମଲି ତ ଏବେ ମୁଁ ନିତି
ହେଲି ତ ଦୁଃଖ ପୀରତି
କଲି ତ ମୁଁ କଥା ରୁହା । ୬ ।
ଏ ସମୟେ ସଖୀ କହି
ତୋଷ ମନେ ବହ ସହି
ଲେଶ ମଧୁର ତା ନାହିଁ
ବିଷମ ପୀରତି ସ୍ପୃହା । ୭ ।
ଦୀନବନ୍ଧୁ ରାଜ ଭଣି
ମୀନବରନେତ୍ରା ଶୁଣି
ଦିନ ବଞ୍ଚିଲେ ତା ଗୁଣି
ସୁନବନୀରଦଦେହା । ୮ ।
