ଚଉପଦୀ -କର କ୍ଷମା ରେ
ଚଉପଦୀ -କର କ୍ଷମା ରେ
କବି - ବଳଦେବ ରଥ
ରାଗ -ସାବେରୀ ତାଳ - ଆଠତାଳି
କର କ୍ଷମା ରେ ।
ରତି ପ୍ରତିମା ତୁ ।
ଜଣା ନ ଥିଲା ମାଜଣା ।
ହେବେ ବୋଲି ଜେମା । ଘୋଷା ।
କେଉଁ ପ୍ରତିହାରିଣୀ କି ଦାସୀ
କହିଥାନ୍ତା ଯେବେ ଧାଇଁ ଆସି ।
ତା ନ ମାନି ପଶିଥିଲେ ଝାସି
ମାନ ଉଚିତ ମୋଠାରେ ତନୁମଧ୍ୟମା ରେ । ୧ ।
ବାରି ପାରି ନାହିଁ ରେ ସୁକେଶୀ
ବାରି ମଧ୍ୟେ ତୁ ଥିଲୁ ବିଳସି ।
ଚାରିପାଶେ ଘେରିଥିଲେ ଦାସୀ
ଭାରି ନିତମ୍ବ ସ୍ତନ ଜଘନ ସୁଷମା ରେ । ୨ ।
ଭିଡ଼ି ରଦନେ ବସନାଞ୍ଚଳ
ତଡ଼ିଲ୍ଲତାରୁ ହୋଇ ଚଞ୍ଚଳ ।
ବଳାଶିଞ୍ଜିତ କରି ପ୍ରବଳ
ପଳାଇ ଯା ମଣ୍ଡିଦେଲୁ ମଣ୍ଡପ ସୀମାରେ । ୩ ।
ଦାଉ ପାଇ ମୁଁ ହେଜିଲି ଏବେ
ଆଉ ଏପରି କରିବି ଯେବେ ।
ସାରିଦେବୁ ମୋତେ ପରାଭବେ
ବାରିଜାକ୍ଷୀ ପୀନସ୍ତନେ ଆଜକ ଜମା ରେ । ୪ ।
ଶୁଣି ଶ୍ରୀକୃଷ୍ଣ ବିନୟ ବାଣୀ
ହରଷରେ ସେ ରମଣୀମଣି ।
ନିଧୂବନ ରଚିଲେ ସେକ୍ଷଣି
ବୋଲେ ବସୁଦୁର୍ଗ ବସୁନ୍ଧରା ସୁତ୍ରାମା ରେ । ୫ ।
