ଚଉପଦୀ ଧର୍ମୀୟ - 63
ଚଉପଦୀ ଧର୍ମୀୟ - 63
ଚଉପଦୀ
ଭାଗ (63)
ରାଗ - ପଞ୍ଚମ ବିରାଜି - ଆଠତାଳ
(ଧର୍ମୀୟ ଓ ରାଗାନୁଗା ଭକ୍ତିମୂଳକ)
କିଶୋରୀମଣିଙ୍କ ମନ - ମାନରୁ ହେବାରୁ ମ୍ଳାନ
ମୋହନ ମୂରଲୀପାଣି ଜାଣି .
ମୁଞ୍ଚି ଅବିଳମ୍ବେ ରୁଷା - ହେବାପରି ଅଙ୍କଭୂଷା
କହନ୍ତି ସାକୁତ ଚାଟୁବାଣୀ
ରେ ମୃଦୁଳାଙ୍ଗୀ,
ନଉକରି କରିବାର ଦାସ - ନିତି ନିତି କରୁଥାଏ ଦୋଷ
ପ୍ରଭୁ ଯେବେ କରୁଥାଏ କ୍ଷମା - ପ୍ରସରଇ ନିରୁପମା-
ମୃତ-କର-ବରାବର ଯଶ (1)
ଦିବାରତ ଆଚରଣେ - କିବା ବ୍ରତ ନିଷ୍ଠା ରାଣେ
ନିବାରିବାରୁ କି ଘେନି କାହୁଁ
ଅନାଇଲା ପରି ବିଶ୍ୱମ୍ଭରାକୁ ଦୁର୍ଗୁଣ ନିଃସ୍ୱ
ବିଶ୍ୱାସୀ ଜନକୁ ଚାହୁଁ ଚାହୁଁ
ରେ ରସାଳସା,
ଦଣ୍ଡିବୁ ତୁ ଅବଶ୍ୟ ମୁଁ ଜାଣେ - ନ ଦଣ୍ଡ ମାତ୍ରକ ଫୁଲବାଣେ
ତୋ କରେ ଯେଉଁ ଦଣ୍ଡନ - ସେ ମୋ ବିଗ୍ରହ ମଣ୍ଡନ-
ମଣି ବୋଲି ମନକୁ ମୁଁ ଆଣେ (2)
ସତେ ମୁଁ ଦୋଷର ସୀମା - ରତିପ୍ରତିମା ତୁ କ୍ଷମା-
କରିଛୁ କି ଆଣ ମାନସକୁ
କହିଲେ କୁନ୍ଦ-ଦଶନା-ଲଜ୍ଜିତ ହୋଇବୁ ସିନା
ଦଣ୍ଡ ବଳିପଡିଛି ଦୋଷକୁ
ରେ ଶୋଭାନିଧି,
କୁଚଗିରି ମଧ୍ୟେ ରଖି ରୁନ୍ଧି - ନିଜ ଭୁଜପାଶେ ଦୃଢେ ବାନ୍ଧି-
ପକାଇ ଦେବାରେ ନିଶା - ଗୋଟିଯାକ ଯେଉଁ ଦଶା
ବସନ ସରିକି ନାହିଁ ପିନ୍ଧି (3)
ଚିବୁକ, ଅଧର, ଗଣ୍ଡ ଦଶନରେ ଖଣ୍ଡ ଖଣ୍ଡ
କରିଛି କି ନାହିଁ ସତକହ
କରରୁ ହ ଶିତକୁନ୍ତ - ମୂନରେ ଜୀବିତ ମିତ,
ଚିରି ପକାଉଛୁ ମୋର ଦେହ
ରେ ବାଳାମଣି,
ଉଭାନେ ପକାଇ ତଳେ ମୋତେ ଉତ୍ତୁଙ୍ଗ - ଉରଜ ପରବତେ
ଅକରୁଣ ହୋଇ ଭର -ଛେଚି ପକାଉ ଯେ ମୋର
ନାହିଁ କି ଅଳପ ହେଲେ ଚିତ୍ତେ (4)
ମୋତେ ଅଚେତନ ଦେଖି ଶରଦଚନ୍ଦ୍ରମାମୁଖୀ
ରତାମ୍ବରୁ କିସଟି ପିଆଉ
ସଚେତ ହୋଇଲେ ପୁଣି - ପ୍ରହାରିବି ବୋଲି ମଣି
କର୍ଣ୍ଣ ଫୁଙ୍କି ପରା ତୁ ଜୀଆଉ
ରେ କଳାବତୀ,
ସହିଥାଏ ଯେ ଏତେ ଫଜିତ - ସେ କି ହୁଏ ଦଣ୍ଡକୁ ଲଜ୍ଜିତ
କଲେ ହେଲେ ତୁ ଅନ୍ତର - କ୍ଷମା ସରସୀରେ ତୋର
ଅନାରତେ ରହିବି ମଜ୍ଜି ତ (5)
ଅଷ୍ଟଦୁର୍ଗ ଧରାପତି - ଶ୍ୟାମଚନ୍ଦ୍ର ପଦେ ନିତି
ବନ୍ଦି ମହା ଆନନ୍ଦରେ ଭାଷେ, -
ଏପରି ସରସତର ଚାତୁର୍ଯ୍ୟ ଗର୍ଭଦ ଗିର
ଚୁମ୍ବିଦେଲେ ଯହୁଁ ଶ୍ରୁତିପାଶେ
ସେ ବିମ୍ବାଧରା
ସମ୍ଭାଳି ନପାରି ଅଟ୍ଟହାସେ - ଘନସାର ପରାଗ ବରଷେ
ଘନେ ଶମ୍ପାପରି ସ୍ନେହେ - ମିଶି ଘନଶ୍ୟାମ ଦେହେ
ମଣ୍ଡିଲେ ଯମୁନା ତଟ ରସେ (6)
କବିସୂର୍ଯ୍ୟ ବଳଦେବ ରଥ
