ଚଉପଦୀ (143)
ଚଉପଦୀ (143)
ଚଉପଦୀ
(143)
ରାଗ – ଘଣ୍ଟାରବ- ଝୁଲା
ଯା ର ମନ ଯହିଁକି ରସେ,
ତା’ର ବିନା ତାକୁ ଆନ ନ ଦିଶେ (ଘୋଷା)
ଦୁଷ୍ଟଚକ୍ର ନକ୍ରାଦି ଥିଲେ,
ନିଦାଘ ତପନ ତାପରେ ମଲେ
ଥିଲେ ହେଲେ ଧୀବର ଜାଲେ
ଦେଖୁ ଦେଖୁ ମୀନ ଜଳକୁ ଭୁଲେ (1)
ପାଶେ ଥିଲେ ସୁର-ସରିତ,
ବଳଇ କି ତହିଁ ଚାତକ ଚିତ୍ତ ?
ହେଲେ ହେଲେ ଅତି ଆରତ
ଘନ ଜଳ ସିନା ତାର ଜୀବିତ (2)
ଦେଖ ପତଙ୍ଗକୁ କେମନ୍ତ,
ଅନଳ ପାଶକୁ ଧାଏଁ ନିରତ,
ଗଲେ ହେଲେ ତାର ଜୀବ ତ
ଶୋଚନା ଥାଏ କି ତାର କିଞ୍ଚିତ (3)
କବିରବି ବୋଲେ ଏ ଭାବ,
ଯେ ଯେତେ କହିଲେ କିସ ହୋଇବ ?
ଯାହାର ଯେମନ୍ତେ ସ୍ୱଭାବ
ପ୍ରାଣ ଗଲେ ହେଲେ ଛାଡେ କି ଭାବ? (4)
କବିସୂର୍ଯ୍ୟ ବଳଦେବ ରଥ
