ଚତୁର ବିନୋଦ କଥା
ଚତୁର ବିନୋଦ କଥା
ଅଗନା ଅଗ୍ନି ବନସ୍ତେ ଥିଲା ଏକ ସର l
ବକପକ୍ଷୀଟିଏ ସେଠି ରଚିଥିଲା ଘର ll
ଗେଣ୍ଡା ଶମ୍ଭୁକ କଙ୍କଡା ଭଳିଭଳି ମୀନ l
ଆନନ୍ଦରେ ବକ ଖାଇ ହରୁଥିଲା ଦିନ ll
ହଂସଟିଏ ଦିନେ ଉଡ଼ି ମାନସରୋବରୁ l
ଦେଖିଲା ସୁନ୍ଦର ସର ଆକାଶମାର୍ଗରୁ ll
ସୁନ୍ଦର ହଂସଟି ସେହି ସରେ ଅବତରି l
ଆନନ୍ଦ ଲଭିଲା ଜଳେ ପହଁରି ପହଁରି ll
ବକ ଦେଖି ପକ୍ଷୀଟିଏ ମୋପରି ଧବଳ l
କିସ ଖାଇ ହୋଇ ଅଛି ସୁନ୍ଦର ପୃଥୁଳ ll
ମୋହର ଶରୀର ଦେଖ ବାଡ଼ିଟିଏ ପରି l
ଲମ୍ବା ପାଦଦୁଇ ମୋର ଅସୁନ୍ଦର ଭାରି ll
ଦିନେ ବକ ହଂସେ ଯାଇ କହିଲାକ ବନ୍ଧୁ l
ବନ୍ଧୁ ହେବା ଚାଲ ସାକ୍ଷୀରଖି କୃପାସିନ୍ଧୁ ll
ବନ୍ଧୁ ଭାବେ ଦୁହେଁ କିଛିଦିନ ଗଲା କଟି l
ବକ ତହୁଁ ଏକ ଦିନେ ଫିଟାଇଲା ଗଣ୍ଠି ll
ପଚାରଇ ହଂସେ କୁହ ହେ ବନ୍ଧୁ ପ୍ରବର l
କି ଦ୍ରବ୍ୟ, ଖାଇ ଗଢିଛ ପୃଥୁଳ ଶରୀର ll
ତୁମ୍ଭ ଆହାରରେ ମୋର ଇଚ୍ଛାହୁଏ ଭାରି l
ମୁଁ ଦୂର୍ବଳ ପକ୍ଷୀ ହୋଇ ଯାନ୍ତି ତୁମ୍ଭ ପରି ll
ହଂସ ତହୁଁ ହରଷରେ ବକ କରି କୋଳ l
ମାନସରୁ ଆଣି ଦେଲା ପଦ୍ମର ମୃଣାଳ ll
ହଂସର ଆହାର ବକ କେତେଦିନ ଖାଇ l
ଦେଖଇ ଶରୀର କିଛି ବଦଳୁ ତ ନାହିଁ !!
ଚିନ୍ତା କରେ ମନେ ବନ୍ଧୁ ଭାରି କପଟିଆ l
ମୋତେ ନଦିଅଇ ସିଏ ଭକ୍ଷୁଅଛି ଯାହା ll
ଧର୍ମ ନାଶଗଲା ମୋର ଉଚ୍ଚିଷ୍ଟ ତା ଖାଇ l
ଧର୍ମନାଶ କରିବି ତା ମୋ ଉଚ୍ଚିଷ୍ଟଖୋଇ ll
ମୀନ ଗେଣ୍ଡା ସବୁ ଆଣି ବନ୍ଧୁପାଶେ ରଖି l
କହଇ ବନ୍ଧୁହେ ମୋର ଖାଦ୍ୟଦିଅ ଚାଖି ll
ବନ୍ଧୁ ପଣେ ହଂସ ତହୁଁ ଖାଇ କଲା ବାନ୍ତି l
ଉଡ଼ି ଗଲା ମାନସରୋବରେ କରି ଇତି ll
ହଂସ ବକ ବନ୍ଧୁତାର ବାର୍ତ୍ତା ଗୋଟି ଏହି l
ନିଚ୍ଚଜନରେ ପିରତି କେବେ କର ନାହିଁ ll
ବ୍ରଜନାଥ ବଡ଼ ଜେନା ପୁରୁଣା କାହାଣୀ l
ଚତୁର ବିନୋଦ କଥା ସର୍ବେ ଥିବ ଶୁଣି ll
