ଚଷମା
ଚଷମା
ମୁଁ ଅଟେ ତୁମ ଆଖିର
ରଙ୍ଗୀନ ଚଷମା।
ମୋ ରଙ୍ଗରେ ରଙ୍ଗାୟିତ
ତୁମପାଇଁ ଏ ସାରା ଦୁନିଆଁ।
ଏହି ରଙ୍ଗରେ ତୁମକୁ
ଲାଗେ ଯିଏ ଭଲ,
ତାକୁ ତୁମେ ଭଲପାଅ,
କର ତାକୁ ଏକାନ୍ତ ନିଜର।
ଦିଅ ତାକୁ କରତାଳି
ଆଉ ପୁରସ୍କାର,
ତୁମ ମନକଳସରେ
ଭରାଥାଏ ତା ପାଇଁ ପୀୟୂଷ।
ନଲାଗଇ ଯିଏ ଭଲ
ତୁମକୁ ଏ ରଙ୍ଗେ,
ତୁମ ଆଖିରେ ତା ପାଇଁ
ଅଶାନ୍ତି ଓ ଦ୍ଵେଷ,
ତା ପାଇଁ ତୁମ ପାଖରେ
ଥାଏ ଗାଳି ଆଉ ତିରସ୍କାର,
ତୁମ ମନରେ ତା ଲାଗି
ରହିଥାଏ ହଳାହଳ ବିଷ।
କିନ୍ତୁ ଏ ସାରାଦୁନିଆଁ
ଏକ ରଙ୍ଗେ ଭରା।
ସେହି ରଙ୍ଗ ସ୍ନେହ ଓ ପ୍ରେମର,
ଆଦର ଓ ଭଲପାଇବାର।
ଏହା ଛଡା ଆଉ ଯେତେ ରଙ୍ଗ,
ସେସବୁ ତୁମରି ସୃଷ୍ଟି, ତୁମ ମନଗଢା,
ସେସବୁ କୃତ୍ରିମ,
ତାହା ଅଟେ ଅନ୍ୟପାଇଁ
ତୁମ ଦୃଷ୍ଟିଭଙ୍ଗୀ।
ଏହି ଦୁନିଆଁର ରଙ୍ଗ
କେବେ ବଦଳେନା।
କିନ୍ତୁ ତୁମେ ପିନ୍ଧିଦେଲେ
ଭଳିଭଳି ରଙ୍ଗର ଚଷମା;
ତୁମକୁ ସେ ରଙ୍ଗ ଲାଗେ ବଦଳିଲା ପରି।
ଯାହାଲାଗି ଦେଖାଯାଏ
ନିଜପର ଶତୃମିତ୍ର ଭାବ।
ତେଣୁ ହେ ମଣିଷ, ଆଜି ଫିଙ୍ଗିଦିଅ
ଭିନ୍ନଭିନ୍ନ ରଙ୍ଗର ଏ କୃତ୍ରିମ ଚଷମା।
ଅନ୍ତରଚକ୍ଷୁରେ ପିନ୍ଧ
ସଦା ଏକ ରଙ୍ଗର ଚଷମା
ତାହା ହେଉ ସ୍ନେହ ଆଉ ଭଲପାଇବାର।
ସେହି ରଙ୍ଗେ ରଙ୍ଗାହେଉ
ଏ ସାରାଦୁନିଆଁ।
ସବୁଦିନ ହୋଇଯାଉ ଫୁଲର ଫଗୁଣ।
ଶତୃମିତ୍ର ଭାବ ଭୁଲି
ସମସ୍ତେ ହୁଅନ୍ତୁ ଏଠି
ଫଗୁ ବୋଳାବୋଳି,
ସବୁଦିନେ ଝୁମିଝୁମି ଖେଳୁଥାନ୍ତୁ
ହାତେ ଧରି ରଙ୍ଗ ପିଚକାରୀ।