ଚଣ୍ଡାଶୋକ
ଚଣ୍ଡାଶୋକ


ହେ ଏକାଙ୍ଗ ଚକ୍ରବର୍ତ୍ତୀ ସମ୍ରାଟ!
ମଗଧ ନରେଶ ରକ୍ତବାହୁ ଅଶୋକ!!
ସମଗ୍ର ଭାରତବର୍ଷ ହୋଇପାରେ
ତୁମ୍ଭର ପଦାନତ କରି ବଶ୍ୟତା ସ୍ବୀକାର
ତଥାପି କଳିଙ୍ଗର ବୀରତ୍ବ ପାଶେ
ତୁମ୍ଭେ ସଦା ପରାହତ ତରବାରୀର ଯୁଦ୍ଧରେ
ଅବା ହୃଦୟର ବିଶାଳତାରେ
ଅବା ତାତ୍ତ୍ଵିକ ପର୍ଯ୍ୟବେକ୍ଷଣରେ
ଅବା ଆପଣାର ଧର୍ମାଚରଣରେ!!
କାହିଁ ପାଇଁ ତୁମ୍ଭର ଏ ହୀନ କପଟ
କଣ ପାଇଁ ତୁମ୍ଭର ଏ ପକ୍ଷପାତ
ସତେ କି ଶୋଭା ପାଏ ଏ କାର୍ଯ୍ୟ
ତଥାକଥିତ ବିଜିତ ପୁରୁଷର ପାଶେ
କାପୁରୁଷୋଚିତ ଅବା ବୀରୋଚିତ?
ନିଜକୁ କରାଇବା ପାଇଁ ମହିମା ମଣ୍ଡିତ
କିପରି ପାରିବ କରି ତୁମ୍ଭେ
ଗୋଟିଏ ପ୍ରଚଣ୍ଡ ସ୍ୱାଭିମାନୀ
ବୀର ଅଦମ୍ୟ ଜାତିକୁ ନିନ୍ଦିତ
କଳିଙ୍ଗ ଯୁଦ୍ଧରେ ତୁମ୍ଭର କଣ
କିଛି ହୋଇନାହିଁ କ୍ଷୟକ୍ଷତି
ଅବା କେହି ଜଣେ ବି ସୈନିକ
ଅବା ଅଶ୍ବ ହସ୍ତି ଆଦି ଜୀବ
ନାହାନ୍ତି ହୋଇ ମୃତାହତ?
କାହିଁକି କରି ଯାଇ ନାହଁ
ଶିଳା ଲେଖାରେ ଉଲ୍ଲେଖ
ବିଜିତ ବୋଲି କଣ ଭୁଲି
ଗଲ କି ହେଳାରେ
ପରାଜିତ ସେନାପତି ଓ ରାଜାଙ୍କର
ନାମ କରିବାକୁ ସ୍ମରଣ
ଅବା ଚାଟୁକାର ବିଦୁଷକଗଣ
ଲ
େଖିଦେଲେ କେବଳ ନାମ ତୁମ୍ଭର
ପାରିତୋଷିକ ଆଶାରେ
ତୁମ୍ଭର ମୁଖର ଗୁଣଗାନରେ?
ରଣାଙ୍ଗନରେ ଅପରିମିତ ବୀରତ୍ୱ
ଅଦମ୍ୟ ସାହସିକତା ପ୍ରଦର୍ଶନ କରି
ବୀରଗତି ପ୍ରାପ୍ତିରେ ତ ପ୍ରକୃତ ବୀରର
ଗୌରବ ତାର ଶୌର୍ଯ୍ୟର ପରିଚୟ
ତେବେ କଣ ପାଇଁ ତୁମ୍ଭେ କରିଛ
ସୁପରିକଳ୍ପିତେ ଇତିହାସକୁ ବିଭ୍ରାନ୍ତ?
ଏଇ ମହାନ ତପୋଭୂମିର
ପାବନ ଧରିତ୍ରୀ ବକ୍ଷରେ
ତୁମ୍ଭର ଗର୍ବ ଅହଙ୍କାର
ହୋଇଛି ଚୁରମାର ଧୂଳିସାତ
ଗଗନଚୁମ୍ବୀ ଦର୍ପର ଧ୍ବଜା
ହୋଇଛି ଚିରଦିନ ଅବଦମିତ
ଚଣ୍ଡାଶୋକରୁ ଧର୍ମାଶୋକରେ
ହୋଇଛ ସ୍ଵୟଂ କାୟମନୋବାକ୍ଯରେ
ରୂପାନ୍ତରିତ ସତ୍ଯର ଆଲୋକରେ
ଦୁର୍ବଳ ହିଁ ତ ହୁଏ ଧର୍ମାନ୍ତରିତ
ଏହି ତ ଦୁନିଆଁର ରୀତି ନୀତି
ସ୍ବୀକାର କରିବାରେ କାହିଁକି ତୁମ୍ଭେ କୁଣ୍ଠିତ?
ତଥାପି ତୁମ୍ଭର ତୁଟି ନାହିଁ ପକ୍ଷପାତିତା
ହୃଦୟ କି ତୁମ୍ଭର ଏତେ ସଂକୋଚିତ
ଦୟାର ରୁଧିର ସ୍ରୋତକୁ ଚାହିଁ କହିକି
ପାରିବ ତୁମ୍ଭେ ବାରେ ସତ୍ଯ ହୃଦୟରୁ
କଳିଙ୍ଗ ରୁଧିରର ରଙ୍ଗ ଆଉ ମାଗଧୀ
ରକ୍ତର ବର୍ଣ୍ଣରେ କିବା ଅଛି ଅନ୍ତର
କିଏ ବିଜୟୀ ପ୍ରକୃତ ପକ୍ଷରେ
ତରବାରୀର ଜୟ ଅବା ହୃଦୟର??