ଚକୁଳିଆ ପଣ୍ଡା
ଚକୁଳିଆ ପଣ୍ଡା
ଅତୀତର ସ୍ମୃତି ମନେପଡେ ଆଜି
ଗାଆଁ ଦାଣ୍ଡେ ଶୁଭେ ଗୀତ,
ଚକୁଳିଆ ପଣ୍ଡା ଦାଣ୍ଡେ ଦାଣ୍ଡେ ବୁଲି
ଭିକ୍ଷାର୍ଥେ ବୁଲନ୍ତି ସତ ।
କାହାରି ଘରର ଦାଣ୍ଡ ଦୁଆରକୁ
ଯାଆନ୍ତି ନାହିଁ ସେ ମାଗି,
କେବଳ ଦାଣ୍ଡରେ ଚକୁଳିଆ ପଣ୍ଡା
ବୁଲେ ଧରି ଜଣେ ସଙ୍ଗୀ ।
ବ୍ରାହ୍ମଣର ବେଶ ଦୁଇ ଜଣଙ୍କର
ମୁଣ୍ଡରେ ପଗଡି ଥାଏ,
ସମ୍ପୂର୍ଣ୍ଣ ମଥାରେ ଚନ୍ଦନର ଲେପ
ଚମତ୍କାର ଭାବେ ଶୋହେ ।
ନାଲି ରଙ୍ଗ ଧୋତି କିମ୍ବା ହଳଦିଆ
ଲମ୍ବିଥାଏ ଆଣ୍ଠୁ ତଳ,
କାନ୍ଧେ ପଡିଥାଏ ସୁନ୍ଦର ଭାବରେ
କପଡ଼ାର ଭିକ୍ଷାଥାଳ ।
ଗାଲରେ ଶୋଭଇ ରୁଦ୍ରାକ୍ଷର ମାଳା
ଓଠେ ଥାଏ ସଦା ହସ,
ମଧୁର କଣ୍ଠରେ ଗାଆନ୍ତି ସଙ୍ଗୀତ
ହୁଏ ନାହିଁ କେବେ ଶେଷ ।
ଜଣେ ଗାଏ ପଦେ ଅନ୍ୟ ସାଥି ପରା
ପୂର୍ଣ୍ଣ କରେ ଆରପଦ,
ଭାଷାର ଲାଳିତ୍ୟ ମନ ମୋହିନିଏ
ପଡୁଥାଏ ଜତିପାଦ ।
ଚକୁଳିଆ ପଣ୍ଡା ଗୀତ ଶୁଭୁ ଶୁଭୁ
ବିଳମ୍ବ ନକରି କ୍ଷଣେ,
ଭିକ୍ଷା ମୁଠି ଧରି ଘରୁ ବାହାରନ୍ତି
ଶାଶୁ, ବୋହୂ କେହି ଜଣେ ।
ଯାହା ଘରୁ ଭିକ୍ଷା ସହଳ ନମିଳେ
ଚକୁଳିଆ ପଣ୍ଡା ଦୁଇ,
ଲୋଭି ବୋଲି ଆଦି କେତେ ମନ୍ଦ ଗାଳି
ଇଙ୍ଗିତେ ଯାଆନ୍ତି ଗାଇ ।
ଜଣେ ଯାଉଥାଏ ଜଣେ ଫେରୁଥାଏ
ଭିକ୍ଷାମୁଠେ ପାଇଁ ଅଳି,
କେତେ ଯେ ଆଶୀଷ ତୁଣ୍ଡରୁ ତାଙ୍କର
ଦେଉଥାନ୍ତି ହସି ଢାଳି ।
ସୁଦୂର ଶ୍ରୀକ୍ଷେତ୍ର ମାଟିରେ ସେ ଜାତି
ଅଛନ୍ତି ବହୁଳ ଭାବେ,
କୁଳ ବେଉସାକୁ ଆଦରି ସେମାନେ
ବଞ୍ଚୁଥିଲେ ପରା ଗର୍ବେ ।
ଯୁଗ ବଦଳିଛି ସମୟ ସାଥିରେ
ସେମାନେ ବଦଳି ଗଲେ,
ଶିକ୍ଷା ପାଇ ଅନ୍ୟ ଧନ୍ଦା ଲାଭ କରି
କୁଳ ବୃତ୍ତି ଭୁଲି ଗଲେ ।