ଚକାଆଖି
ଚକାଆଖି
ଚକାଆଖି ତୁମ ଦରଶନ ଲାଗି
ଭାବିଲି ମନରେ ମୋର ।
ଦରଶନ ଦେବ ଚକାଆଖି ମୋତେ
ଲଗାଇଲ ଭାବ ଡୋର ।
ଟାଣିନେଲା ଡୋର ଗଲି ଶ୍ରୀମନ୍ଦିର
ଚକାଆଖି ତୁମ ଦେଖି ।
ମନ ମୋ ବୁଡିଲା ଭାବ ଜଳଧିରେ
ଆଖି ମୋର ଗଲା ଲାଖି ।
ଚକାଆଖି ପଦ୍ମ ପଲାଶୁଁ ସୁନ୍ଦର
ପଦ୍ମମୁଖେ ପାଏ ଶୋଭା ।
କଳାଡୋଳା ଦୁଇ ଅଛି ତା ମଧ୍ଯରେ
ଭ୍ରମର ବୋଲି କହିବା ।
ଭ୍ରମର ମତ୍ତ ନହୋଇ ହୋଇ ସ୍ଥିର
ରତ ସଦା ମଧୁପାନେ ।
ଡୋଳା ନବୁଲଇ ଚକାଆଖି ସ୍ଥିର
ଦେଖିଲି ବେନି ନୟନେ ।
ନୟନୁଁ ମୋ ଜଳ ବହି ଅବିରଳ
ଭିଜିଲା ନୟନ ମୋର ।
ଚକାଆଖିରେ ମୋ ଆଖି ଗଲା ଲାଖି
ଆହେ କାଳିଆ ଠାକୁର ।
କି କିମିଆ ଭରି ଅଛି ସେ ଆଖିରେ
ଲଗାଅ କେତେ ହୁନ୍ଦର ।
କହିବି ବୋଲି ଯା ମନେ ଭାବିଥିଲି
ସବୁ ତା ଗଲା ପାଶୋର ।
ନାଚିଲା ମନରେ ଚକାଆଖି ତୁମ
ତୁମେ ମୋହର ଶକତି ।
ତୁମେ ଦୟାମୟ ମଙ୍ଗଳ ଆଳୟ
ତୁମେ ମୋ ଗତି ମୁକତି ।
ତୁମ ରୂପ ଛବି କାଳେ କାଳେ ମୋର
ନୟନରେ ନାଚୁଥାଉ ।
ମରଣ କାଳରେ ତୁମ ତକାଆଖି
ଦେଖି ମୋ ଜୀବନ ଯାଉ ।
