STORYMIRROR

Prasanna Kumar Das

Tragedy Inspirational Others

3  

Prasanna Kumar Das

Tragedy Inspirational Others

ଚିଠି

ଚିଠି

1 min
244


ଦୂର ପ୍ରବାସରୁ ସୁରାଟ ସହରୁ

ଲେଖୁଛି ଲୋ ବୋଉ ଚିଠି।

ଚିଠି ନୁହେଁ ମୋର ହୃଦୟ ବେଦନା

ଗୃହ ବନ୍ଦୀ ହେଲି ଏଠି।।


ମୋ ଦୁଃଖ ଶୁଣାଇ ତୋ ଦୁଃଖ ବଢାଇ

ଅନୁତାପ ସାର ହେବ।

କରୋନା ଭୂତାଣୁ ମହାମାରୀ ହୋଇ

କରୁଛି ମୃତ୍ୟୁ ତାଣ୍ଡବ।।


ଘରୁ ବାହାରକୁ ଯିବୁ ନାହିଁ ବୋଉ

କା' ସଂଗେ ମିଶିବୁ ନାହିଁ।

କହିବୁ ବାପାଙ୍କୁ ବିଲରୁ ଫେରିଲେ      

 ତାଆସ ଖେଳିବେ ନାହିଁ ।।


ତେଲ ଲୁଣ କିଛି ଆଣିବାକୁ ଯେବେ

ଦୋକାନ ବଜାର ଯିବ।

ଚାରିହାତ ଦୂରେ ରହିବ ଦୂରେଇ

ମୁହଁ ରେ ମୁଖା ପିନ୍ଧିବ।।


ବଜାର ଦରବ ଲୁଣ ସୋଢା ଜଳେ

ଯତନ କରି ଧୋଇବ ।

ପିନ୍ଧା ବସ୍ତ୍ର ହାତ ମୁହଁ ପାଦ ସଫା

ସାବୁନ୍ ରେ କରୁଥିବ।।


କରୋନା ଭୂତାଣୁ ସଂକ୍ରମିତ ରୋଗୀ

ମୃତ୍ୟୁ ସଂଖ୍ୟା କେ ଗଣିବ ।

ଡାକ୍ତର ଖାନାରେ ରୋଗୀଙ୍କର ଭିଡ

ଶ୍ମଶାନରେ ଭରା ଶବ।।


ରୋଗ ସଂକ୍ରମଣ ବଢେ ଦିନୁ ଦିନ

ନାହିଁ ତା'ର ପ୍ରତିକାର।

ପ୍ରତିଷେଧ ଟୀକା ବାହାରିବ ବୋଲି

କହୁଛନ୍ତି ସରକାର।।


ସତର୍କରେ ଥିଲେ ବଞ୍ଚିବା ସମସ୍ତେ

ଏଣୁ ଦେଲି ଚିଠି ଲେଖି ।

କାଳିଆ ସାଆନ୍ତ ହେଉ ତୁମ ସାହା

ଫେରିବି ସୁବିଧା ଦେଖି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy