ଚିଠି ମୋର ସ୍ମୃ୍ତି ଚିତ୍ର
ଚିଠି ମୋର ସ୍ମୃ୍ତି ଚିତ୍ର


ଭାବର ଆଦାନ ପ୍ରଦାନ ମାଧ୍ୟମ
ସ୍ମୃ୍ତିର ଝଲକ ଚିଠି ,
ଦୃଷ୍ଟି ଆଢୁଆଳେ ରହିଛି ଗୋପନେ
ହଜିଛି ଲେଖନୀ କାଠି ॥
ଯାନ୍ତ୍ରିକ ଯୁଗରେ ହଜି ଯାଇଛିରେ
ସୁମଧୁର ଚିଠି ଲେଖା ,
ଅତି ପୁରାତନ ଏ'ଚିଠି ସମ୍ପଦ
ହରେଇଛି ବନ୍ଧୁ ସଖା ॥
ବୈଷୟିକ ମନ୍ତ୍ର ଦୀକ୍ଷାରେ ଦୀକ୍ଷିତ
ସଭ୍ୟ ସମାଜ'ର ଜନ ,
ନିମିଷକ ମଧ୍ୟେ ଖବର ପୋଷଣେ
ଚିଠିରେ ଦିଏନି ଧ୍ୟାନ ॥
ଭୁଲିସେ ଯାଇଛି ଅତୀତକୁ ଆଜି
ଲଫାପା ଯାଇଛି ଚିରି ,
ସାଧା କାଗଜରେ ଅକ୍ଷର ନଦିଶେ
ପ୍ରେମମନ ଯାଏ ମରି ॥
ଚିଠି ଟିକି ପକ୍ଷୀ ଉଡିତ ପାରୁନି
ଡେଣାଟି ଯାଇଛି କଟି ,
ଡ଼ାକଘର ଥଳି ଉଇ ଖାଇଲାଣି
ପରସ୍ତେ ପରସ୍ତେ ମାଟି ॥
ବଇରି ସାଜିଛି ଏ'ସମାଜ ଆଜି
ଚିଠିକୁ ଯାଇଛି ଭୁଲି ,
ମେସେଜେ ଚାଟିଂଗ ମୋବାଇଲ ପ୍ରୀତି
ଉଚ୍ଛୁଳି ପଡୁଛି ଖାଲି ॥
ଭ୍ରାମ୍ୟଭାଷ୍ଯେ ପ୍ରେମ ଲାଗଇ ବିଷମ
ଚିଠିକୁ ତ' ଅଣଦେଖା ,
ପ୍ରୀତି ପ୍ରିୟତମା ଲେଖନୀ ଧରେନା
ନିତି ଖୋଜେ ନୂଆ ସଖା ॥
ବିନା ସ୍ପର୍ଶେ ଏଠି ପଢି ହୁଏ ଚିଠି
ବୈଷୟିକ ଚିନ୍ତାଧାରା ,
ହୃଦୟର ଭାଷା ଖେଳିଯାଏ ପରା
ନିମିଷକେ ବିଶ୍ୱ ସାରା ॥
ପୁରୁଣା ଦିନର ହୃଦୟ ବିଭବ
ଚିଠି ଆଜି ସ୍ମୃତି ଛବି ,
ହାୟରେ ମଣିଷ କାହିଁ କଲୁ ପର
ଚିନ୍ତନରେ ଅଛି କଵି ॥
ସୀମା ସୈନିକର ସନ୍ଦେଶ ସର୍ବସ୍ଵ
ଚିଠି ହିଁ ପରାଣ ମିତ ,
ଏ'ଚିଠି ଚଢେଇ ଆପଣାର ସାଜି
ବାରତା ଦିଅଇ ସତ ॥
ବୃଦ୍ଧ ପିତାମାତା ପ୍ରିୟତମା ଭାର୍ଯ୍ୟା
ଡ଼ାକବାଲା ଅପେକ୍ଷାରେ ,
ସୀମାରୁ ଆସିଛି ଅମୂଲ୍ୟ ଏ'ଚିଠି
ମନଉଡେ ଆକାଶରେ ॥
ବୀରପୁତ୍ର ବର ମନର ମଣିଷ
ଆସିବ ତ' ଅବକାଶେ ,
ଏ'ଚିଠି ସନ୍ଦେଶ କରୁଛି ଅଥୟ
ଦିନଗଣି ପ୍ରିୟା ହସେ ॥