ଜୀବନସାଧକଙ୍କୁ କରିବା ଅନ୍ଵେଷ
ଜୀବନସାଧକଙ୍କୁ କରିବା ଅନ୍ଵେଷ
ପ୍ରକୃତିକୁ ଦେଖ ପଦ୍ମ ଫୁଟିଥାଏ ନୀଳ
ଶରତର ଏକ ନିବିଡ଼ ଲଗ୍ନରେ
ଜଳି ଧ୍ୱଂସ ହୋଇ ଯାଏ ପଦ୍ମର ବନ
ପୌଷର ଶିଶିରସ୍ନାତ ସକାଳରେ |୧|
କିଛି ସମୟରେ ପଙ୍କିଳ ପରିବେଶ ମିଳେ
ଚେତନାଗତ ଅବକ୍ଷୟ ସମାଜରେ
ପୂଜ୍ୟଙ୍କୁ ପୂଜା କରିବାରେ ଅଭାବବୋଧ
ପାଇବା ଆଜିର ଦୁନିଆରେ |୨|
ପ୍ରତିଭା ପ୍ରତି ବୀତସ୍ପୃହ ଯୋଗୁ କିଛି ପ୍ରତିଭା
ମୁଣ୍ଡ ଟେକି ପାରେ ନାହିଁ
ସେମାନେ ଜଳି ଭସ୍ମ ହୋଇ ଯାଆନ୍ତି ଈର୍ଷା ଓ
ଅସୂୟାର ସମ୍ମୁଖୀନ ହୋଇ |୩|
କିନ୍ତୁ କିଛି ସୁବାସିତ ପଙ୍କଜ ମୁଣ୍ଡ ଟେକନ୍ତି
ଆବର୍ଜନାର ପଚାମାଟିରୁ
ହୋଇଥାନ୍ତି ଉତୁଙ୍ଗ ବ୍ୟକ୍ତିତ୍ୱ ଏହି ସଂସ୍କୃତି
ବିହୀନ ଅବକ୍ଷୟ ସମାଜରୁ |୪|
ସେମାନେ ଫୁଟି ଚାଲିଛନ୍ତି ପଦ୍ମପ୍ରାୟ ଅନ୍ଵେଷା
ରଖି ନୂତନ ଆଲୋକର
ପ୍ରେରଣାର ପ୍ରତୀକ ସେମାନେ ସାହିତ୍ୟ କଳା
ସଂସ୍କୃତି ଓ କାରିଗରୀର |୫|
ମହନୀୟ ହେଉଛି ସେମାନଙ୍କର ଉନ୍ମୁଖ
ଚେତନା ଉତ୍ସର୍ଗୀକୃତ ଆତ୍ମାର
ଆସନ୍ତୁ ଭଉଣୀ ଭାଇ ଖୋଜିବା ଠିକଣା
ସେଇ ପ୍ରେରଣାପ୍ରଦ ମଣିଷମାନଙ୍କର |୬|
ଆମ ଅଗୋଚରରେ ବିଶାଳ ଓଡ଼ିଶା ମାଟିରେ
ଅଛନ୍ତି କେତେ ମହତ୍ତର ମଣିଷ
ଦାୟିତ୍ଵ ନେବା ଆମେ ସଂକଳ୍ପ ନେଇ ସେଇ
ଜୀବନସାଧକଙ୍କୁ କରିବା ଅନ୍ଵେଷ |୭|
