ଚିତ୍ରକାର
ଚିତ୍ରକାର
ପତ୍ର ଥିଲା ଡାଳ ଥିଲା
ପ୍ରେମୀଙ୍କର ମେଳ ଥିଲା
ପକ୍ଷୀଙ୍କର ରାବରେ ଦିନେ
ଚଉଦିଗ କମ୍ପୁଥିଲା(1)
ଏବେ କିନ୍ତୁ କିଛି ନାହିଁ
କୋଳାହଳ ଶୁଭୁନାହିଁ
ଥୁଣ୍ଟା ବରଗଛ ତଳେ
କାହୁଁ ବା ଆସିବ ଛାଇ(2)
ବୟସର ତାଳେ ତାଳେ
ସୌନ୍ଦର୍ଯ୍ୟ ମୋ ଢଳିଗଲା
ସମୟ ହାତ ବଢେଇ
ସବୁଜିମା କାଢିନେଲା(3)
କାହୁଁ ପହଞ୍ଚିଲା ଆସି
ମୋ ସମ୍ମୁଖେ ଚିତ୍ରକାର
ପଡିଲା ହଠାତ୍ ଯେବେ
ମୋ ଆଖିରେ ତା ନଜର(4)
ଆଖିରେ ପଲକ ନାହିଁ
ନ ଅଟକି କ୍ଷଣେ ପାଇଁ
ଦେଖୁଥିଲେ ମୋତେ ସିଏ
ପୃଷ୍ଠ ଭୂମି ବଦଳେଇ(5)
ଜାଣିଲି ସୌନ୍ଦର୍ଯ୍ୟ କିଛି
ରହିଛି ବାକି ଏ ଯାଏଁ
ଖାଲି ଲୋଡା ଥିଲା ଯାହା
ନବ ଚିତ୍ରକାରଟିଏ(6)

