ଚିତ୍ରିତ ପଣତ
ଚିତ୍ରିତ ପଣତ
ସ୍ବାଧୀନତାର ଶିରପା ବାନ୍ଧିଛି
ମୋ ମା' ମୋ ମାଟି
କେଉଁ ଏକ ଅମୃତ ବେଳାରେ,
ପତେଇ ଦେଇଛି ତା' ବଳିଷ୍ଠ ଛାତିକୁ
ପରିବ୍ୟାପ୍ତ ଆକାଶର ନୀଳ ଛାତ ତଳେ,
ଝରିପଡେ ମୁଠା ମୁଠା ପୀୟୂଷର ଧାର
ମେଘର କୋରକରୁ
କେତେବେଳେ ମୁଠା ମୁଠା କଣ୍ଟାର
ଆଘାତରେ କ୍ଷତବିକ୍ଷତ ତ
ଆଉ କେତେବେଳେ
ପେନ୍ଥ ପେନ୍ଥା ଫୁଲର ପାଖୁଡାରେ
ଚିର ସୁରଭିତ ଓ ଚିର ସୁଶୋଭିତ
ତା' ଚିତ୍ରିତ ପଣତ କାନି ।
ତା' ବିଶ୍ବାସ ର ନାଭିକେନ୍ଦ୍ରରୁ
ଗଜୁରି ଉଠୁଛି
ଅନେକ କିମ୍ବଦନ୍ତୀର ପଦ୍ମନାଡ
ଭୂ ରୁ ଭୂମାକୁ ଛୁଇଁଯାଏ
ଭ୍ରାତୃତ୍ବର ସୁରମ୍ୟ ମହକ
କେତେ ଚିତ୍ରପଟ
ଚିର ଦେଦୀପ୍ୟମାନ
କେତେ ଗରିମାର ସ୍ବର୍ଣ୍ଣିମ ଇତିହାସ
ଲିପିବଦ୍ଧ ପବନର ପାପୁଲିରେ ,
କେତେ ବିଶ୍ବସନୀୟତାର ଚିତ୍ରିତ କାହାଣୀ
ଚିର ଧ୍ବନିତ ଓ ଚିର ଶିହରିତ
ଜହ୍ନରାତିର ପରିପୁଷ୍ଟ ଛାତିରେ ।
ନଈ,ନାଳ,ପାହାଡ,ଝରଣା
କେତେ ଅଗମ୍ଯ ଗିରିଶୃଙ୍ଗ
ଅରଣ୍ୟର ଅପହଂଚ ମାଟି
ପ୍ରତି ପତ୍ରରେ ସବୁଜ ଝଂକାର
ପ୍ରତି ଛତ୍ରରେ ଅନନ୍ତ ଆବେଗର ସମ୍ମୋହନ
ଅହର୍ନିଶ ମନ୍ତ୍ରମୁଗ୍ଧ
ଚିର ଅନାବୃତ ତା' ଚିତ୍ରିତ ପଣତକାନି
ମୁକ୍ତି-ମହାମୁକ୍ତିର ମହାପାର୍ବଣରେ ।
କେତେ ସେ ଜଳିଛି
ଅପ୍ରାପ୍ତିର ନିର୍ଜନଦ୍ବୀପରେ
ଗ୍ଳାନିର ଅବଶୋଷକୁ ବାନ୍ଧିଛି କେତେ ସେ
ତା' ସିକ୍ତ ପଣତରେ
କେତେ ଅଭାବବୋଧର ଭାରକୁ ବୋହିଛି
ତା' କଅଁଳ କାନ୍ଧରେ
ଆଉ କେତେ ସାଉଁଟିଛି ସେ ଅଶ୍ରୁଳ ଆଖିରେ
ଆଂଜୁଳା ଆଂଜୁଳା ଲୁହ ଓ ଲହୁର ଧାର
ଅମାବାସ୍ୟର ନିବୁଜ ଛାତିରୁ ।
ତଥାପି ସରିନି ସଂଗ୍ରାମ
ହଟିନି ଅନ୍ଧାର,ଫାଟିନି ସିନ୍ଦୂରା
ଆହୁରି ଅନେକ ବାକି
ଜୀବନ-ମୃତ୍ୟୁର ମହାଘୂର୍ଣ୍ଣନରେ ।
ଏବେ ମୁକୁଳିବାର ବେଳ
ଅଜ୍ଞତାର ଆବଦ୍ଧ ପଂଜୁରିରୁ
ଛୁଇଁବାର ବେଳ
ଆକାଶରୁ ମହାକାଶକୁ
ଉବୁଟୁବୁ ହେବାର ବେଳ
ମହାସଂକଳ୍ପର ଉତ୍ତାଳ ଢେଉରେ
ନୀଡଟିଏ ରଚିବାର ବେଳ
ମହାର୍ଘ ତୃଷ୍ଣା ର ଲବଙ୍ଗଦ୍ବୀପରେ
ଝଲମଲ ହେଉଥିବ ଅସୁମାରି ସ୍ବପ୍ନ
ତା' ଚିତ୍ରିତ ପଣତ କାନିରେ ।।