ଚିତ୍ର ଚରିତ - 73 : କବିତା : ହାତ ପାପୁଲି
ଚିତ୍ର ଚରିତ - 73 : କବିତା : ହାତ ପାପୁଲି
ହାତ ପାପୁଲିରେ ପାଞ୍ଚୋଟି ଆଙ୍ଗୁଳି ମହାଭାରତ ପାଣ୍ଡବ,
ହାତ ଚକିରେ ମୋ ବସିଛନ୍ତି ନିଜେ ଦ୍ଵାପର ଯୁଗ କେଶବ |
ବୁଢା ଆଙ୍ଗୁଳିଟି ଅସ୍ତ୍ରଧରେ ନାହିଁ ସ୍ଥିର ରହିଥାଏ ସଦା,
ବିଶି ଆଂଗୁଳିଟି ବଳୁଆ ଟାଣୁଆ ଧରିପାରେ ସିଏ ଗଦା |
ଯୁଦ୍ଧ କର୍ମବେଳେ ସ୍ଥିର ରହିବାରୁ ସତେ ସିଏ ଯୁଧିଷ୍ଠିର,
କ୍ରୋଧବେଳେ ଯିଏ ଉଠେ ସିଏ ଭୀମ ବିଶି ଆଙ୍ଗୁଳି ଆମର |
ମଝି ଆଂଗୁଳିଟି ବିଜୟର ଟିକାପାଇଁ ହୁଏ ଆଗଭର,
ତୃତୀୟ ପାଣ୍ଡଵ ସର୍ବଦା ଅଗ୍ରଣୀ ମଝି ଆଂଗୁଳିଟି ମୋର |
ଚତୁର୍ଥ ଆଙ୍ଗୁଳି ମୁଦ୍ରିକା ପ୍ରିୟ ସେ ଯଥା ନକୁଳ ସୁନ୍ଦର,
ପଞ୍ଚମ ଆଙ୍ଗୁଳି ସହଦେଵ ପରି ଯୁଦ୍ଧପାଇଁ ଅଗ୍ରସର |
ପଞ୍ଚୁ ପାଣ୍ଡବଙ୍କୁ ନିୟନ୍ତ୍ରଣ କରି ଥାଆନ୍ତି ଯେ ଚକ୍ରଧାରୀ,
କେନ୍ଦ୍ରବିନ୍ଦୁ ହୋଇ ରହିଛନ୍ତି ସିନା ପାପୁଲି ନାମଟି ଧରି |
