ଚିତ୍ର ଚରିତ - 64 କବିତା : ପଞ୍ଚଭୂତ ସଭା
ଚିତ୍ର ଚରିତ - 64 କବିତା : ପଞ୍ଚଭୂତ ସଭା
ସଭା ଚାଲିଥିଲା ପ୍ରକୃତି ଦେବୀର ଥିଲେ ଆକାଶରେ ତାରା,
ଅଗ୍ନି ଜଳ ଆଉ ପବନ ସହିତ ମାଟିମାଆ ବସୁନ୍ଧରା |
ଆକାଶ କହିଲେ-ମୋର ଏ' ଶରୀର ସୂର୍ଯ୍ୟ ଚନ୍ଦ୍ର ତାରା ବାସ,
ଅଗ୍ନି ଜଳିଉଠି କହିଲେ-ମୋ ତାପବିନା ସୃଷ୍ଟିହୁଏ ନାଶ |
ସକଳ ସୃଷ୍ଟିର ଆଧାର ମୁଁ ବୋଲି କହିଦେଲେ ସୂର୍ଯ୍ୟଦେବ,
ପବନ କହିଲେ-ମୁଁ ଜୀବ ଜୀବନ ମୋ ସରି ଆଉ କେ ହେବ ? |
ବସୁନ୍ଧରା ମୁଣ୍ଡ ଟେକି କହିଲେ ମୁଁ ହେଉଛି ସଭିଙ୍କ ମାଆ,
ଜଳ ମାଡ଼ିଆସି କହିଲେ-ମୁଁ ଏକା ଜୀବଜଗତର ସାହା | |
ହସିଲେ ପ୍ରକୃତି କହିଲେ- ତୁମେ ତ ସକଳେ ମୋର ସନ୍ତାନ,
ଗଢିଛି ତୁମକୁ ଜୀବ ହିତପାଇଁ ମୋ ଆଗେ ସବୁ ସମାନ |
ପଞ୍ଚଭୂତ ଭାବେ ଜୀବ ଶରୀରରେ ରହିଛ ରହିବ ଯାଇ,
ଯାହା ଲୋଡ଼ାହେବ ନିଜେ ଯାଚିଦେବ ସଂସାର ମଙ୍ଗଳ ପାଇଁ |
ପ୍ରକୃତିର କଥା ଶୁଣିଲେ ଦେବତା ଭାଙ୍ଗିଗଲା ଅଭିମାନ,
ସଭିଏଁ ଜାଣିଲେ ପ୍ରକୃତି ଦେବୀ ହିଁ ଭଗବତୀ ଭଗବାନ |
