ଚଇତି ଆଗମେ
ଚଇତି ଆଗମେ
ଏମିତି ଯାଇଛି ଫଗୁଣ-ଝର ତନ-ମନ ପବନ ରଙ୍ଗେଇ ,
ସ୍ୱାଦ ଝୁମାଝୁମା ମଜଲିସର ଏ ମନୁ ହୁଏନା ଭୁଲେଇ।
ସେ ସୁଶୀତଳ ଦଧିର ଘୋଳ, ମିଷ୍ଠାନ୍ନ ଭୋଜର ଗୋଳ,
ଥଟାମଜ୍ଜା ହାସ୍ୟ କଲ୍ଲୋଳ ,ତା ସାଙ୍ଗେ ଅବିର ଖେଳ।
ପୂର୍ଣ୍ଣାଙ୍ଗେ ଭରି ଦେଇଛି ଫଗୁଣ ଯେ ଆତ୍ମିକ ମନୋବଳ ,
ଥିଲା ଯା ଜୀବନେ ଦୁଃଭାବନା ବିସୃତ ହୋଇଛି ସକଳ।
ବିମାନେ ବିରାଜି ଭ୍ରମଣେ ରାଧାମାଧବ, ପାର୍ବଣ୍ୟ ଦୋଳ ,
ଆମ୍ବକଷି ଭୋଗେ ଝୁଲିଲା ନାଟୁଆ, ଝରି ଯାଇଛି ବଉଳ ।
ଶୁଭ୍ର ପୁଷ୍ପରାଜି ହର୍ଷେ ଶୋଭନ,କୋମଳ ସବୁଜ ଦ୍ରୁମ ଡାଳେ,
ଫଗୁଣ ସୁରଭି ତଥାପି ରଖିଛି ନଭ,ଖଣ୍ଡିତ ଧବଳ ଘନମାଳେ।
ନବପଲ୍ଲବ ବାସ ନେଇ ଆସିଛି ଚଇତ, ବାହି ଚଇତାଳି ।
ହେନା,ସେଫାଳି ବିଚ୍ଛୁରେ କାନନେ,ସୁଗନ୍ଧ ଭଳିକି ଭଳି।
ମହକେଇ ଫୁଲର ବାସ ଦୋହଲେ କମଳା,ପଣସ କଷି,
ପୂଜ୍ୟନ୍ତି ମଙ୍ଗଳା ମାଁ' ପତିବ୍ରତା ନାରୀ ବାଟ ଦୁଆରେ ବସି।
ଚଇତି ଆଣିବ ତାତି ସଙ୍ଗେ ଅରୁଣ ମିଶି,ସରସୀ ମନେ ଭିତି,
ମଣ୍ଡୁକ,ମୀନ, କଙ୍କଡା, କଇଁଛ , ରୋଦନ୍ତି ପ୍ରାଣ ବିକଳେ ଅତି ।
ଆମ୍ବକଷିର ଭୀତ ଅବେଳେ କାଳବୈଶାଖୀ କୁଆପଥର ଝଡ,
ଚତୁର ବାଳକେ ଧାମନ୍ତି ତୁରିତେ , ଗୃହସ୍ଥ ମନ ବିକଳ ବଡ।
ବଗୁଲା ବଗୁଲି ମତ୍ସାହାର ମଗନେ ବିଭୋର ତଡାଗ ତଟେ ,
କରନ୍ତି କେଳି ଶୀତାଂଶୁ ସାୟନ୍ତନେ ଶୁଭ୍ର ଜଳଦ ହାଟେ।
ଇନ୍ଦୁ ଆଭା ପରେ ଶର୍ବରୀ ଆଶେ ,ଶୀତଳ ମାରୁତ ପରଶ,
ବିକଶିତା ସରୋଜ କଳି ଆମୋଦେ ଶୋଷେ ସୁଧାଂଶୁ ରସ।
