ଚିର ନମସ୍ୟ ଶ୍ରୀଜୟଦେବ
ଚିର ନମସ୍ୟ ଶ୍ରୀଜୟଦେବ
ଧନ୍ୟ ତୁମ୍ଭେ ଭକ୍ତ କବି ଭକ୍ତ ଅଗ୍ରଗଣ୍ୟ l
ମହାକବି ତୁମ୍ଭେ ଅଟ ସର୍ବଜନ ମାନ୍ୟ ll
ଧନ୍ୟ ତୁମ ରସକାବ୍ୟ ଶ୍ରୀଗୀତଗୋବିନ୍ଦ l
ନ ଶୁଣିଲେ ଜଗନ୍ନାଥେ ନ ଯାଆନ୍ତି ନିଦ ll
କାମ ଗରଳ ଖଣ୍ଡନେ ପ୍ରଭୁ ଶିରେ ପାଦ l
କେମନ୍ତେ ରଖିବେ ରାଧା ଗଣିଲ ପ୍ରମାଦ ll
ଏହା ଭାବି ଭାବି ଗଲ ସ୍ନାହାନେ ବାହାରି l
ପହଞ୍ଚିଲେ ପ୍ରଭୁ ଛଦ୍ମେ ତୁମ୍ଭ ବେଶ ଧରି ll
ପଦ୍ମା ତୁମ୍ଭେ ଲେଖନୀଟି ଶୀଘ୍ରକରି ଆଣ l
ପାଦ ପୁରାଇଲେ ବସି ସ୍ୱୟଂ ନାରାୟଣ ll
କୃତିରେ ତୁମ୍ଭର ଭରା ଦିବ୍ୟ ପ୍ରେମ ରସ l
ନାୟିକା ରାଧା ନାୟକ ସ୍ଵୟଂ ଜଗଦୀଶ ll
ପ୍ରତେ ହୁଏ ନାହିଁ ଏହା ମନୁଷ୍ୟେ ସମ୍ଭବ l
ସୃଜନୀ ନିଶ୍ଚୟ ଏହା ଶ୍ରୀ ରାଧା ମାଧବ ll
ଶାନ୍ତ କାନ୍ତ ପଦାବଳୀ ଜନ ମନ ହର l
ଅତି ସାବଲୀଳ ପୁଣି ଅତୀବ ସୁନ୍ଦର ll
ନୃତ୍ୟ ପଟ୍ଟିୟସୀ ପଦ୍ମାବତୀ ନୃତ୍ୟଛନ୍ଦ l
ଗୀତଗୋବିନ୍ଦ ଗାୟନ ପଖାଉଜ ନାଦ ll
ଧନ୍ୟ ଖଞ୍ଜିଥିଲେ ପ୍ରଭୁ ତୁମ୍ଭ ଦିବ୍ୟଯୋଡ଼ି l
ପ୍ରଣାମ ଜଣାଏ ମୁହିଁ ବେନି କର ଯୋଡ଼ି ll
ପୂଣ୍ୟ ଜନ୍ମ ତିଥି ତୁମ୍ଭ ଅକ୍ଷୟ ତୃତୀୟା l
ଅକ୍ଷୟ ତୁମ୍ଭର କିର୍ତ୍ତୀ ବିଶ୍ୱ ବନ୍ଦନୀୟା ll
ଧନ୍ୟ ଯୋଗ୍ୟସୂତ ଧନ୍ୟ ଉତ୍କଳ ଜନନୀ l
ନମସ୍ତେ ଗୀତଗୋବିନ୍ଦ ନମଃ ଭକ୍ତାଗ୍ରଣୀ ll
