ଚିର ଅପାସୋରା
ଚିର ଅପାସୋରା
ସୁଖବେଳେ ମାଆ ରୁହନ୍ତି ଜଗତେ
ଦୁଃଖରେ ଥାଉଲୋ ତୁହି,
ଯନ୍ତ୍ରଣା ଜୀବନ ଜାଣେ ମାଆ ତୋତେ
ପ୍ରେମ ବର୍ଷା କରୁ ରହି ।
ସବୁଦୋଷ କ୍ଷମାକରି କୋଳେ ନେଉ
ହୃଦରେ ସ୍ପନ୍ଦନ ଦେଇ,
ବିଶ୍ୱାସ, ଭରସା ଦେଉ ହୃଦେ ରହି
ତୋ'ପରି କିଏଲୋ କାହିଁ ।
ଜନ୍ମଦେଇଅଛୁ ତୋହରି ସ୍ଥାନରେ
ଭାଗ୍ୟ ଅହୋଭାଗ୍ୟ ମୋର,
ଦର୍ଶନେ ପୁଲକ ଭରି ହୃଦୟରେ
କରିନେଉ ଆପଣାର ।
ଚାନ୍ଦର ରୋଷଣୀ ଜ୍ୟୋତି ସମାହିତ
ନୀଳ ଆକାଶରେ ଶୋଭା,
ହୃଦ ଉପବନେ ଶ୍ରୀମୁଖ ଶୋଭିତ
ଚନ୍ଦନ ଚର୍ଚ୍ଚିତ ଆଭା ।
ପ୍ରାରବ୍ଧ ଚୁକ୍ତିରେ ତ୍ୟାଗ, ତିତିକ୍ଷାରେ
ବିଶ୍ୱାସରେ ବିଶ୍ୱ ପରା,
ଭାଗ୍ୟରେ ଭାବରେ ଭାବସ୍ପର୍ଶତାରେ
ଦୁଃଖ ଦୂରକରୁ ପରା ।
ଅମୀୟ ବିଭୁତି ଆତ୍ମାରେ ପରଷି
ହୃଦୟ ପଢ଼ୁଲୋ ତୁହି,
ପରମା କଲ୍ୟାଣୀ ତୁହି ମହାଶକ୍ତି
ମଙ୍ଗଳାୟୀ ମହାମାୟୀ ।
ବେଳ ଗଡିଗଲେ ସଞ୍ଜ ନଇଁଗଲେ
ଜୀବନ ରାତ୍ରିର ବେଳେ,
ଥିବୁପାଶେ ମୋର ଅଧମ ସନ୍ତାନେ
ଚିତ୍ତ ଶ୍ରୀପଦ କମଳେ ।
ଦୃଷ୍ଟିଅଗ୍ରେ ଥିବୁ ଲୟର ମୂଳରେ
ଜୀବ,ପରମ ଅଭେଦ,
ଅମନ ପୁରରେ ଏକାକାର ସର୍ବେ
ପରମ ନାମର ସ୍ୱାଦ ।
ଚେତନା ଭରିବୁ ବିବଶତା ହରି
ଅନୁରାଗ ସାନିଧ୍ୟରେ,
ମିଳନ ପ୍ରୟାସୀ ଶୁଦ୍ଧ ଆତ୍ମାରାଶି
ବିରହିତ ପରାଣରେ ।
ଅପାଶୋରା ମା'ଲୋ କରୁଣା କୈବଲ୍ୟ
ସିକ୍ତଅଶ୍ରୁ ପଣତରେ,
ପୁଣ୍ୟ ପ୍ରତିଶୃତି ବିଶ୍ୱାସରେ ଅଙ୍କା
ବନ୍ଦନୀୟ ହୃଦୟରେ ।
ମହୋତ୍ସବ ଧରା ଚୈତ୍ରରେ ଅପୂର୍ବା
ମହ, ମହ ବାସଝରା,
ଶ୍ରୀସୂକ୍ତ, କବଚ, କିଳକ, କୁଞ୍ଜିକା
ନବରାତ୍ରିରେ ବିଭୋରା ।
ଦିବ୍ୟ ମନଲୋଭା ବେଶର ସେ ଶୋଭା
ପୀଠ କୋଳାହଳମୟ,
ନବରାଗେ ମଧୁମୟ ବସୁନ୍ଧରା
ଓଁକାର ପବିତ୍ରମୟ ।
ବେଦନା ବିଧୁର ପ୍ରାଣେ ସରସତା
ଶ୍ରଦ୍ଧା, ଶାନ୍ତି ପ୍ରଚୋଦନ,
ଶୂନ୍ୟ ହୃଦୟର ମହାଭାବଧାରା
ମଧୁଝରା ସେ ଗହନ ।
ଦୁଃଖ, ସୁଖ ସମର୍ପଣ ଶ୍ରୀପୟରେ
ଯାହା ହସ୍ତଟେକି ଦେବୁ ,
ତାହା ପ୍ରାପ୍ତିହେଉ ଦରିଦ୍ରପ୍ରାଣରେ
ଅମୀୟ ପିୟୁଷ ଲଭୁ ।
