ଚିନ୍ତନ
ଚିନ୍ତନ
ଶରୀରରେ ମୂଳ ଆଧାରରେ ଠୁଳ ଥାଏ ଯେଉଁ ପଞ୍ଚତତ୍ବ
ଏ ପାଞ୍ଚ ମେଳରେ ଜନମ ବିଖରେ ବୈଦ୍ୟୁତ ଶକ୍ତି ଅଦ୍ଭୁତ ।
ସେ ଶକ୍ତି ଚିନ୍ତନ ଜୀବ ମୂଲ୍ୟାୟନ କରାଉଥାଏ ବିଧାନେ
ଯା'ନାମ ଜୀବନ, ଆତ୍ମା, ଅବା ପ୍ରାଣ କହିଛନ୍ତି ଜ୍ଞାନୀ ଜନେ ।
ଚିନ୍ତନ ହିଁ ଶ୍ରେଷ୍ଟ ଆଙ୍କଇ ଉତ୍କୃଷ୍ଟ, ନିକୃଷ୍ଟର ସୀମାରେଖା
ଯାହାର ବଳରେ ଜୀବ ଜଗତରେ ମାନବ ଶ୍ରେଷ୍ଟତ୍ବ ଚଖା ।
କାୟା ସଙ୍ଗେ ଛାୟା ପରି ଏହି ମାୟା ଜୀବପାଶେ ରୁହେ ସଦା
ଅନ୍ତର୍ମୁଖି ବାହ୍ୟର୍ମୁଖି ଭାବେ ଦ୍ବୟ ରୂପେ ଚିନ୍ତନ *ବରଦା ।*(ବରଦାୟିନୀ)
ଚିନ୍ତନର ପୁତ୍ର କର୍ମ ହିଁ ସର୍ବତ୍ର ଯା ଲାଗି ଜୀବନ ଧନ୍ୟ
ଏକାଧାରେ ତେବେ ଚିନ୍ତନ ହିଁ ଭବେ ଜୀବର ଅମୂଲ୍ୟ ଧନ ।
ଚିନ୍ତନର ମୂଲ୍ୟ କରିବାକୁ ତୂଲ୍ୟ ସୃଷ୍ଟିରେ ନାହିଁ ପର୍ଯ୍ୟାୟ
ଚିନ୍ତନ ଯୋଗୁଟି ଏ ଅମୂଲ୍ୟ ସୃଷ୍ଟି ସାଜଇ ଅମୃତମୟ ।
ଶୁନ୍ୟ ଶୁନ୍ୟ ଶୁନ୍ୟ ପରେ ନିରଞ୍ଜନ ନିରଞ୍ଜନେ ଦିବ୍ୟ ଜ୍ୟୋତି
ସେ ଦିବ୍ୟ ଜ୍ୟୋତି ହିଁ ଭଗବାନ କହି ଚିନ୍ତନର କରାମତି ।
ଚଉଦ ବ୍ରହ୍ମାଣ୍ଡ ଗ୍ରହ ତାରା ରୁଣ୍ଢ ଜ୍ଞାନ, ଚିନ୍ତନେ ସଫଳ
ଆଜି ବିଜ୍ଞାନର ପ୍ରତିଟି ଆଧାର ଚିନ୍ତନର ଫଳାଫଳ ।
ବାହ୍ୟର୍ମୁଖି ଚିନ୍ତା ଧରେ ସଫଳତା ସାଂସାରିକସୃଷ୍ଟି ପାଇଁ
ଅନ୍ତର୍ମୁଖି ହେଲେ ଚିନ୍ତା ପାରେ ହେଳେ ଜୀବେ ପରମେ ମିଶାଇ ।
ଆତ୍ମାର ଚିନ୍ତନେ ତେଣୁ ଜ୍ଞାନୀଜନେ ଦିଅନ୍ତି ପ୍ରଥମ ସ୍ଥାନ
ତେଣୁ ହେ ମାନବ ଚିନ୍ତନରେ ତବ ରଖ ଶୁଦ୍ଧ ଦୃଷ୍ଟିକୋଣ ।