STORYMIRROR

Dambarudhar Dash

Inspirational

3  

Dambarudhar Dash

Inspirational

କର୍ମ, ଜ୍ଞାନ ଓ ଭକ୍ତି

କର୍ମ, ଜ୍ଞାନ ଓ ଭକ୍ତି

1 min
250

( ରାଗ - ବଙ୍ଗଳାଶ୍ରୀ )

କର୍ମ ହିଁ ଜୀବନ କର୍ମ ଭଗବାନ 

           କର୍ମଟି ମହାନ ଅଟେ

କର୍ମେ ଜିଏଁ ନର କର୍ମ ସାଥୀ ତାର 

           ଜୀବନର ଚଲାବାଟେ ।।୧।।


କର୍ମ ଅଟେ ଯଜ୍ଞ କରିଯାନ୍ତି ବିଜ୍ଞ 

            ଫଳକୁ ନକରି ଆଶା

ଫଳ ଆଶେ ଯିଏ କାର୍ଯ୍ୟ କରୁଥାଏ 

            ମୋହମାୟା ବାନ୍ଧେ ବସା ।।୨।।


ବଡ଼ ବଡ଼ କହି ଫୁଟାଣି ମାରଇ

             ଅନ୍ୟକୁ ଯେ ନିନ୍ଦୁଥାଏ

ନିଜେ ନକରଇ ଅନ୍ୟକୁ ବାଛଇ 

             ମିଛେ ଲୋକହସା ହୁଏ ।।୩।।


ଚିନ୍ତି ପରହିତ କର୍ମ କର ନିତ୍ୟ 

             ଛାଡିଣ କାମନା ସ୍ୱାର୍ଥ 

କ୍ରୋଧ ହିଂସା ଦ୍ବେଷ ହୃଦେ କଲେ ବାସ 

             ଜୀବନ ହୁଅଇ ବ୍ୟର୍ଥ ।।୪।।


କର୍ମ ଅଟେ ଜ୍ଞାନ ଜ୍ଞାନ ହିଁ ବିଜ୍ଞାନ 

             ପ୍ରଗତି ପ୍ରଦୀପ ସାଜେ 

ଅଜ୍ଞାନ ଅନ୍ଧାର ହୋଇଯାଏ ଦୂର 

             ସଫଳତା କରେ ବିଜେ।। ୫।।


ମୁକତିର ପଥ ହୁଅଇ ପ୍ରଶସ୍ତ

         ହୃଦୟେ ବିନୟ ଭରେ

ଜ୍ଞାନ ସହ ଭକ୍ତି ହୋଇଲେ ସଂପୃକ୍ତି

         ଶ୍ରେଷ୍ଠ ହୁଏ ଜଗତରେ।। ୬।।


ସର୍ବତ୍ର ପୂଜିତ ହୁଅଇ ପଣ୍ଡିତ 

         ପାଇଥାଏ ବହୁମାନ 

ଜ୍ଞାନ ଥାଇ ଜନ ହୋଇଲେ ଅଜ୍ଞାନ 

          ଜଗତେ ବୋଲନ୍ତି ହୀନ।। ୭।।


ଜ୍ଞାନ ଅଟେ ଭକ୍ତି ଭକ୍ତି ଦିଏ ଶକ୍ତି 

          ଭକ୍ତିଟି ମୁକ୍ତିର ମାର୍ଗ 

ସମର୍ପିତ ଭାବେ କର୍ତ୍ତବ୍ୟ କରିଲେ 

           କର୍ମ ହୋଇଯାଏ ସ୍ୱର୍ଗ।। ୮।।


ଭକତିର ମାର୍ଗ ପ୍ରଶସ୍ତ ହୋଇଲେ 

           ଦେବତା ହୁଅନ୍ତି ପ୍ରୀତ 

ନବଧା ଭକ୍ତିରେ ବନ୍ଧା ହୋଇଥାନ୍ତି 

           ପ୍ରଭୁ ଜଗତର ନାଥ ।। ୯।।


କର୍ମ ଭକ୍ତି ଜ୍ଞାନ ଏକତ୍ର ହୋଇଣ

           ଚତୁଃବର୍ଗ ଫଳ ଦିଏ

ଏ ତିନିକୁ ଯିଏ ଜପାମାଳି କରେ 

           ଜଗତେ ମହାନ ହୁଏ ।।୧୦।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational