କବିତା - ଚିନ୍ତାକଳ୍ପ
ରଚନା - ପଞ୍ଚାନନ ଜେନା
ତାରିଖ -27-06-2026
---------------------------------
ଜେଜେବାପା ଲଗେଇଥିବା
ହଜାରୀ ନାଲି ନଡ଼ିଆ ଗଛ
ପକେଇଛି ଚାମ୍ପ
ଆଜି ସକାଳୁ ଦେଖୁ ଦେଖୁ
ମନରେ ଆଙ୍କି ପାରୁଥିଲି
ଗଛ ଲଗେଇବା ବେଳର
ସେହି ଅପୂର୍ବ ଦୃଶ୍ୟ ତରଙ୍ଗ ବାମ୍ଫ
ଜେଜେଙ୍କୁ ମନେ ମନେ ଯେମିତି ଖୋଜୁଥାଏ
ଯେମିତି ଆମ ବଉଳା ଗାଈ
ବିଲରୁ ଆସୁ ଆସୁ
ଖୋଜି ପକାଏ ତା କଅଁଳା ବାଛୁରୀ ଛୁଆ
ହାଁବାଳି ପକାଏ କୁରୁଳି ପକାଏ
ପଘା ଛିଡ଼େଇ ଦରାଣ୍ଡି ପକାଏ
ନଡ଼ିଆ ଗଛ ଟା ଆଜି ସକାଳୁ ସକାଳୁ
ଖୁସିରେ ହଲୁଛି ଦୋହଲୁଛି
କୁରୁଳି ଉଠୁଛି ଲହଡି ମାରୁଛି
ଲାଗୁଛି
କହିବ କହିବ ଖୁସିର ବାରତା
ଗର୍ଭଧାରଣ କରିଛି
ମା' ହେବାକୁ ଯାଉଛି
ତେଣୁ ବୋଧେ
ଜନ୍ମଦାତା ବାପାଙ୍କୁ ମନେ ମନେ ସୁମରି ହେଉଛି
ସ୍ଵାଦ ଖାଇବାର ଇଚ୍ଛା କରୁଛି
ସରଧା ଆଶିର୍ବାଦ ପାଇଁ ଏଣେ ଏଣେ
ଉଙ୍କି ଝୁଙ୍କି ତ୍ରିବାଙ୍କି ହେଉଛି
ଝାପସା ଝାପସା ମନେ ପଡ଼େ
ଭୀମ ପିଉସା ଘରୁ
ନଡ଼ିଆ ଚାରା ଆଣି
କେତେ ଯନ୍ତ୍ରରେ ଗାତ ଖୋଳି
ଶୁଖିଲା ନିମ୍ବ ପତ୍ର ଜଳେଇ
ଲୁଣ କେଇ ମାଣ ଛିଞ୍ଚିଦେଇ
ଗୋବର କମ୍ପୋଷ୍ଟ କେଇ ଝୁଡ଼ି ପକେଇ
ଲଗେଇ ଥିଲେ ଜେଜେବାପା
ପବିତ୍ର ଦଶହରାରେ
ଆଉ ମୋ ହାତରେ ପାଣି ଦିଆ କରିଥିଲେ
କହୁଥିଲେ
ଗଛ ଲାଗିଲା ଆଜି ଠୁଁ ତୋ ହାତରେ
ପାଣି ଦେଉଥିବୁ ନିତି ସରାଗରେ ସରଧାରେ
ଫଳ ହେବା ବେଳକୁ
ନ ଥିବ ଏ ପାଚିଲା ତାଳ
ମାତ୍ର ମନେ ପକେଇବୁ ଏ ନହକା ବୁଢ଼ାକୁ
ମନ ମଗଜରେ ଚିନ୍ତାକଳ୍ପରେ
ନଡ଼ିଆ ଗଛର ହେଲୁ ତୁ ଭାଇ
ସୁରକ୍ଷା ଦେଉଥିବୁ
ଶତ୍ରୁ କବଳରୁ ରକ୍ଷା କରୁଥିବୁ
ସ୍ନେହ ରଜ୍ଜୁରେ
ବାନ୍ଧିଦେଲି ଆଜି
ସାକ୍ଷୀ ରହିଲା ଏ ପବିତ୍ର ବିଜୟା ଦଶମୀ
ନିତିପ୍ରତି ଖବର ରଖିବୁ
ସମୟ ଦୌଡିବ
ତୋ ବୟସ ବି ବଢିବ
ତା ସାଙ୍ଗେ ସାଙ୍ଗେ ତୋ ସୁନା ଭଉଣୀ ବି
ବହୁତ ଲମ୍ବିଯିବ
ଡେଙ୍ଗା ମୁଣ୍ଡରେ ଠେଙ୍ଗା ବଦଳରେ
ସ୍ନେହ ଆଦର କରିବୁ
ପ୍ରତିଦାନରେ
ଡାବ ପାଣି ପିଇଲା ବେଳେ
ନଡ଼ିଆ ଭାଙ୍ଗି ଖାଇଲା ବେଳେ
ଏ ବଙ୍କୁଲି ବାଡି ଧାରି
ଖୋର୍ଦ୍ଧା ଗାମୁଛା ପରିଧାନକାରୀ
ମନ ମୌଦାନକୁ ଆସୁଥିବ ସଂପର୍କ ଡ଼ୋରୀ