ଛନ୍ଦାୟିତ ଛାୟା
ଛନ୍ଦାୟିତ ଛାୟା
ମନ ଉପବନର ମହକ ପାଇଁ
ମନ ଗହନର ଚମକ ପାଇଁ
ପୀରତି ବଢେ ବୋଲି
କହନ୍ତି ଅମର ପ୍ରେମ କାହାଣୀ
ପ୍ରେମ ଯନ୍ତ୍ରଣା ପ୍ରତାରଣା ପାଇଁ
ମିଛ ପ୍ରବଞ୍ଚନା ଆଶ୍ଵାସନା ପାଇଁ
ପୀରତି ଘଟେ ବୋଲି
କହନ୍ତି ଖସଡ଼ା ଅମଡ଼ା ଗଡାଣୀ
ଏକପଟେ ତ୍ୟାଗର କଣ୍ଟକିତ କାୟା
ଅନ୍ୟପଟେ ଭୋଗର ଛନ୍ଦାୟିତ ଛାୟା
ଦେହ ଦେହଳିର ଭୂଗୋଳ
ଆତ୍ମା ଭେଦି ଛେଦି କଳରୋଲ
ଗୋଟେ ରସନା ରହିତ ବାସନା ବଞ୍ଚିତ
ଅନ୍ୟଟି କାମନା ଉତ୍ତେଜନା ଗର୍ତ୍ତେ ବ୍ୟଥିତ
କୁଆଡେ ବା ଯିବ
ନିସ୍ତାର ନାହିଁ ବୋଲି
ଆଭଟୁ ପାଉଟୁ ହେଉଛି ଜୀବ
ବେଳେ ବେଳେ ରସନା ବାସନାକୁ ତ୍ୟେଜି
ତ୍ୟାଗର ପ୍ରତିଦାନ ଉପରକୁ ଚଢିଯାଏ
ମନ ମତି ମସ୍ତିସ୍କକୁ କବଳିତ କରେ
ରକ୍ତ ମାଂସ ଶିରା ପ୍ରଶିରାକୁ ଜାବୁଡି ଧରେ
ଆତ୍ମା ପରମାତ୍ମାର ଚୌହଦୀ ଡେଉଁ ଫେରେ
ଜାତି କୂଳ ବଂଶ ପରମ୍ପରା ଦିଶେନା
ପ୍ରୀତି ପାରାବାରେ ତିଳ ଚୋପା ମିଶେନା
କଦଳୀ ଭେଳା ଯେମିତି ବନ୍ୟାରେ ବୁଡେନା
ପ୍ରେମ ଆନନ୍ଦ ଏମିତି ଅମୂଲ୍ୟ ଅତୁଲ୍ୟ
ହାରିଲେ ବି ଭୁଲି ହୁଏ ନା
ଜିତିଲେ ବି ଜିଇଁ ହୁଏ ନା ।
