ଛଳନାର ଢେଉ
ଛଳନାର ଢେଉ
ବସନ୍ତ ଆସିଲା ମଳୟ ବହିଲା କୋଇଲି ଗାଇଲା ସୁରେ
ମୋ ମନ ଆକାଶେ ଅମା ଅନ୍ଧକାର ବିରହୀ ମନ ମୋ ଝୁରେ ।।
ବନର ଦହନ ସଭିଏଁ ଦେଖନ୍ତି ମନର ଦହନ ଗୁପ୍ତ
ମନର ହୃଦୟେ ସାଇତା ସପନ ଚେଇଁ ରହିଥାଏ ସୁପ୍ତ ।।
ମିଠା ଛଳନାରେ ପଡିଗଲି ପ୍ରେମେ ନଈ ପରି ବହିଗଲି
ବୟସ ବିଜନ ଅନ୍ଧାର ତୁଠରେ ହୃଦୟ ସମର୍ପି ଦେଲି ।।
ପ୍ରଣୟକୁ ତୁମେ ପ୍ରତାରଣା କଲ ଝୁରେ ମନ ତୁମ ପାଇଁ
ଜୋସ୍ନା ବିଧୌତ ରଜନୀର ଶେଷେ ରହିଛି ତୁମକୁ ଚାହିଁ ।।
ମିଛଟାରେ ଖାଲି ଭଲପାଅ କହି ଦେଲ ମୋତେ ପ୍ରତାରଣା
ଅଳସି ନଈର ଧାରେ ବହିଯାଇ ହୋଇଗଲି ବାଟବଣା ।।
ହୃଦୟ ସାଗରେ ଅସରନ୍ତି ପ୍ରଶ୍ନ ଉତ୍ତର ପାଏନି କେବେ
ଛଳନା ଢେଉରେ କୂଳ ଲଙ୍ଘି ତୁମେ ଫେରିଲ ସାଗର ଗର୍ଭେ ।।
ଖାଲି ପଡିଅଛି ମନ ବେଳାଭୂମି ଛାଡିଗଲ ପଦଚିହ୍ନ
ହୃଦୟ ବିଚାରା ତଥାପି ପାଗଳ ସାଇତି ଅଛି ସପନ ।।