ଛଳନା
ଛଳନା


ଭସାବାଦଲର ସମ ଶୂନ୍ୟେଶୂନ୍ୟେ
ଯାଏନାହିଁ ଭାସି
ପ୍ରେମ ହୁଏ ରସ ସିକ୍ତ ପୁଣି ଘନୀଭୂତ,
କଳ କଳ ନିନାଦରେ ସୁମଧୁର ଛଳଛଳ ଧାରା
ସୃଜନ ପ୍ରତିପାଳନେ ହୁଏ ପରିପୃକ୍ତ ।
ହାସ୍ୟ ଲାସ୍ୟ ପ୍ରୀତିପ୍ରଦ ଉତ୍ସାହ ପୁଲକେ
ସୁଖ ଦୁଃଖ ଦିନରାତି ସହଭାଗେ ବିତେ,
ହାତରେ ମିଶାଇ ହାତ ଚାଲିବାକୁ ହୁଏ ବାଟ
ଦେହ ଭିନ୍ନ ଭିନ୍ନ ସିନା ମନପ୍ରାଣ ଏକେ ।
ରଙ୍ଗ ରସ ସୁପ୍ରୟୋଗେ ଚଞ୍ଚଳେ ଜୀବନ
ଚପଳେ ସୁନ୍ଦର ମତି ବିଭୋରେ ବାସନା,
ନିତ୍ୟ ସଦ୍ୟ ପ୍ରସ୍ଫୁଟିତ କମଳ ସଦୃଶ
ସ୍ଫୁରେ ପ୍ରେମ ସୋହାଗର ଅମୃତ ଭାବନା ।
ଚିରନ୍ତନ ପ୍ରେମ ସତ୍ୟ ଶିବ ସୁନ୍ଦର ପ୍ରକୃତି
ଅନୁଭବ ସିଦ୍ଧ ମାତ୍ର ନୁହଁ ସଙ୍କଳ୍ପନା,
ଉତ୍ତମ ବାସ ଭୂଷଣ ପ୍ରାୟକ ଛଳ ରଙ୍ଗ ରସ
ପରିପୁଟେ ସମୁଜ୍ଜ୍ୱଳେ ଜୀବନ ସାଧନା ।