ଛଳନା
ଛଳନା
ଛଳନା କରିଣ ପୁତନା କୃଷ୍ଣଙ୍କୁ
ସ୍ତନ୍ୟପାନ କରାଇଲା
ଛଳନାର ଫଳ ଭୋଗ କଲା ସିଏ
ଜୀବନ ତା ନାଶ ଗଲା।।
ଛଳନା କରିଣ ଲଙ୍କାର ରାବଣ
ସୀତାଙ୍କୁ ଚୋରେଇ ନେଲା
ସେଥିପାଇଁ ସ୍ୱର୍ଣ୍ଣ ଲଙ୍କା ଧ୍ୱଂସ ହେଲା
ଶେଷେ ତାର ପ୍ରାଣ ଗଲା।।
ଛଳନା ଅଟଇ ମିଥ୍ୟା ଅଭିନୟ
ଉପରକୁ ଦେଖାଯାଏ
ଉପରେ ଉପରେ ମିଠା କଥା କହି
ତଳେ ଚେର କାଟୁଥାଏ।।
ଛଳନା କରିଣ ଫିରିଙ୍ଗି ଆସିଲା
ଭାରତେ ବାଣିଜ୍ୟ ପାଇଁ
ଭାରତବାସୀଙ୍କୁ ଅତ୍ୟାଚାର କଲା
ନିଜର ହକ୍ ଜମାଇ।।
ଛଳନା ତାଙ୍କର ପଣ୍ଡ ହୋଇଗଲା
ଭାରତବାସୀ ତାତିଲେ
ଅସହଯୋଗର ଆନ୍ଦୋଳନ କଲେ
ଫିରିଙ୍ଗି ବାହୁଡିଗଲେ।।
ଆଜିର ସମାଜେ ସବୁଠି ଛଳନା
ବୁଝିବା କଷ୍ଟ ହେଉଛି
ଛଳନାରେ ଫସି ନୀରିହ ଜନଟି
ଦୁଃଖ କଷ୍ଟ ଭୋଗୁଅଛି।।
ପରିବାର ମଧ୍ୟେ ଛଳନା ହୁଅଇ
କାହା ଶିରୀ କେ ଦେଖେନା
ମିଛରେ ମଧୁର ବଚନ କହିଣ
ଅନ୍ୟକୁ କରେ ଖେଳନା।।
ନିଜଗାତେ ଶେଷେ ନିଜେ ପଡିଥାଏ
କାହାକୁ ପାରେନା କହି
କଲା କରମର ଫଳକୁ ଭୋଗଇ
ଭାଗ୍ୟର ଦ୍ୱାହି ଦେଇ।।
ରାଜନୀତିରେ ତ ଛଳନାଟି ସତେ
ତା ଆଡ୍ଡା ଜମାଇଦିଏ
ଭୋଓଟ ବେଳରେ ମଉସା ମାଉସୀ
ପରେ ବା ଚିହ୍ନିଛି କିଏ ?
କ୍ଷମତା ପାଇଁକି ଛଳନା କରନ୍ତି
ସତେ ଅତି ଆପଣାର
କ୍ଷମତା ଲଭିଲେ ନୀରିହ ଲୋକଙ୍କ
ଦୁଃଖ ପଡେନି କାନର।।
ହିଂସା ଦ୍ୱେଷ ଭାବ ମନରେ ବହିଣ
ଗୋଟାପଣେ ସାଧୁହୋନ୍ତି
ଧରମର ସଦା ବିଜୟ ହୁଅଇ
କଲା କର୍ମ ସେ ଭୋଗନ୍ତି।।
କାହାରି ସହିତ କେବେବି ଛଳନା
ସୁଜ୍ଞଜନେ ନକରିବ
ଛଳନା କରିଲେ ଫଳଟି ବିଷମ
ସେମାନେ ରଖିଥିବ।।
