ଛାୟାମୂର୍ତ୍ତି
ଛାୟାମୂର୍ତ୍ତି
କବିତା - ଛାୟାମୂର୍ତ୍ତି
ରଚନା - ପଞ୍ଚାନନ ଜେନା
ତାରିଖ -୧୭-୦୨-୨୦୨୬
++++++++++++++++++
ଫଟା କ୍ଷେତର ମାଟି
ଯେବେ
ଆକାଶକୁ ଚାହେଁ ଆଁ ଫାଁ କରି
ତୁଷାର୍ତ୍ତ କ୍ଷୁଧାର୍ତ୍ତର ଆର୍ତ୍ତନାଦ କରି
ଆଉ ଜଣେ ହାତଠାରି ଡାକୁଥାଏ
ଭୂତ ପ୍ରେତର ଭ୍ରମ ସୃଷ୍ଟି କରୁଥାଏ
କଳା ମଚମଚ ଛାୟାମୂର୍ତ୍ତି ପରି
କେବେ ଲମ୍ବିଯାଏ ଆଗରେ ଲମ୍ବୋଦର
କେବେ ପଛରେ ରହିଯାଏ କୃଶୋଦର
କେବେ ମଝିରେ ବସିଯାଏ ବର୍ତ୍ତୁଳାକାର
ନିକଟରୁ ନିକଟତର ହେଉ ହେଉ
ସେ ତାର କାୟା କଳେବର ବଦଳେଇ
କେବେ ବାବନାଭୂତ ପରି କିମ୍ଭୁତକିମ୍ଭାକାର
କେବେ କଳାବଦନ ପରି କାଳୀୟଦଳନ ଠାକୁର
ବହୁତ ଡରାଏ ଥରାଏ ଖତାଏ ଛାୟାମୂର୍ତ୍ତି
ଅନୁସନ୍ଧାନ ମୂଳକ ଆମୂଳଚୂଳ କାୟାକିର୍ତ୍ତି
ଆଲୋକ ବଳରେ ବଳିୟାନ ହୋଇ
କେବେ ଭାବ ବନ୍ଧନରେ ବନ୍ଧାଛନ୍ଦା କଡାମୂର୍ତ୍ତି
କେବେ ହସେଇପାରେ କଣ୍ଢେଇ ନାଚର କୃଷ୍ଣ ପ୍ରୀତି
ମିଛ ମାୟା ସଂସାର ଭିତରେ ଘର ଆମର
ନିଜର ବୋଲି ଖୋଜିଲେ
ଆପଣାର ବୋଲି ଗଣିଲେ
କେହି ମିଳନ୍ତି ନାହିଁ ହାତ ଗଣତିରେ
ସଭିଏଁ ପର
ମାତ୍ର ଭାବିଲେ କ୍ଷଣେ
ଭାବି ବସିଲେ ତତକ୍ଷଣେ
ଛାୟାମୂର୍ତ୍ତି ଛଡ଼ା କେହି ନିଜର ଲାଗନ୍ତିନି ଜଣେ
ସାଥେ ସାଥେ ଚାଲିଆଏ ନୀରବେ
ସାଙ୍ଗେ ସାଙ୍ଗେ ଆତ୍ମଜ ପରି ଗରବେ
ଅଫୁରନ୍ତ ସାହସ ଦେଉଥାଏ ସରବେ
ଲମ୍ବା ଗଡ଼ାଣି ଉଠାଣି ଲକ୍ଷ୍ୟସ୍ଥଳ
ଏକାକୀ
ଚାଲୁଥାଏ ଶହେ ପଦାତିକର ବଳ
ଦମ୍ଭରେ
ଲମ୍ବରେ ସରଣୀ ଖମ୍ବରେ ପରବେ
